ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ବରପାଲିପଡା ବାସିନ୍ଦା ବିଶିଷ୍ଟ ସମାଜସେବୀ, ସଂଗଠକ ତଥା ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ସାଧାରଣ ସମ୍ପାଦକ ଗୁଣନିଧି ତ୍ରିପାଠୀଙ୍କ ୫୯ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଯକୃତ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ସର୍ବଦା ମିଷ୍ଟଭାଷୀ ଓ ମେଳାପୀ ଶ୍ରୀ ତ୍ରିପାଠୀ ପାଟଣେଶ୍ୱରୀ କଳା ପରିଷଦ, ବର୍ଣ୍ଣାଳୀ, ସଂସ୍କାର ଭାରତୀ ଆଦି ଅନେକ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହିତ ସକ୍ରିୟ ଭାବେ ଜଡିତ ଥିଲେ । ଜୀବନକାଳରେ ସେ ଅନେକ ଥର ରକ୍ତଦାନ କରି ପ୍ରଶଂସିତ ହୋଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବାସନ୍ତି ମିଶ୍ର, ବଡ ଭାଇ ଦୟାନିଧି, ସାନ ଭାଇ କ୍ଷମାନିଧି, ଭାଉଜ, ଭାଇ ବୋହୂ, ପୁତୁରା, ପୁତୁରା ବୋହୂ, ଭଉଣୀ, ଭିଣୋଇଗଣ, ବନ୍ଧୁବର୍ଗ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ଝିଅ ସୌମ୍ୟା ସୁଲଗ୍ନା ବିବାହ ପରେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅବସ୍ଥାନ କରୁଛନ୍ତି । ସାମାଜିକ ଦୂରତା ଅବଲମ୍ବନ ସହ ବଲାଙ୍ଗିର ବିଭୂତିପଡା ସ୍ଥିତ ଶ୍ମଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ଭାଇ ଦୟାନିଧି ତ୍ରିପାଠୀ ମୁଖାଗ୍ନୀ ଦେଇଥିଲେ ।