ପ୍ରଭାତ ନଳିନୀ ସାହୁଙ୍କ ପୁସ୍ତକ “ନୂଆ ସକାଳ ” ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମୁଖ୍ୟ ଆନୁକୂଲ୍ୟରେ କବି ପ୍ରଭାତ ନଳିନୀ ସାହୁଙ୍କ କବିତା ପୁସ୍ତକ ” ନୂଆ ସକାଳ ” ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଠାରେ ଲୋକାର୍ପିତ ହୋଇଯାଇଛି । ସାମୁଖ୍ୟର ମୁଖ୍ୟ ସ୍ତମ୍ଭକାର ଭୁପେନ ମହାପାତ୍ରଙ୍କ ପୌରହିତ୍ୟ, ଅଭୟ କୁମାର ଦାସଙ୍କ ସଭାପତିତ୍ୱ ତଥା ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ମହେଶ୍ୱେତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ ସହ ଲୋକାର୍ପିତ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ସାହୁ ପୁସ୍ତକକୁ ଆଲୋଚନା କରିବା ସହ ‘ନୂଆ ସକାଳ’ ନାମର ସାର୍ଥକତା ଉପରେ ଆଲୋକପାତ କରିଥିଲେ । ସଭାପତିତ୍ୱ ଅଭିଭାଷଣ ସହ ସଭାପତି ଶ୍ରୀ ଦାସ କହିଲେ ଯେ, କବି ତାଙ୍କ ପୁସ୍ତକରେ ସମାଜର ଦୋଷ ଦୂର୍ବଳତାକୁ ଅତି ମାର୍ମିକ ଭାବେ ଉପସ୍ଥାପନା କରିଛନ୍ତି । ଅନୁଷ୍ଠାନର ମୁଖ୍ୟ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ଓ ଲେଖିକା ସଂପର୍କରେ ଆଲୋଚନା କରି କହିଲେ ଯେ, ସାହିତ୍ୟରେ ପ୍ରଗତିଶୀଳ ପ୍ରବାହ ଲେଖିକାଙ୍କ ପୁସ୍ତକରେ ସନ୍ନିବେଷିତ । ନାରୀ ଲେଖିକାମାନେ ସାହିତ୍ୟ ରଚନାରେ ମଗ୍ନ ହେବା ଭାଷା ସାହିତ୍ୟ ପାଇଁ ଶୁଭଙ୍କର । କବି ଶ୍ରୀମତୀ ସାହୁ ପୁସ୍ତକର ନାମକରଣ ଓ ଲେଖିବା ପାଇଁ ପ୍ରୋତ୍ସାହିତ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସ୍ମିତା ମିଶ୍ରଙ୍କ ସଭାପତିତ୍ୱ ଓ ରୀତାରାଣୀ ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । କବିତା ଗୁଡିକୁ ବିଜୟିନୀ ଜେନା ସମୀକ୍ଷା କରିଥିଲେ । ସର୍ବଶ୍ରୀ ସୁଶାନ୍ତ କୁମାର ନାୟକ, ଅଶୋକ ପଟ୍ଟନାୟକ, କିଶୋରୀ ମୋହନ କର, ରଶ୍ମି ସାହୁ, କନକଲତା ମିଶ୍ର, ହରିହର ଶତପଥୀ, ବବିତା ମହାପାତ୍ର, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ପ୍ରମୋଦ କୁମାର ସ୍ୱାଇଁ, ବିଜୟ କୁମାର ବରାଳ, ସୁନିଲ ମହାନ୍ତି, ଉର୍ବଶୀ ଦାଶ ପତି, ସୁବାସ ଲେଙ୍କା, ପ୍ରଣତୀ ଲେଙ୍କା, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.