ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛ କଟା ଓ କାର୍ଯ୍ୟାଳୟ ଭିତରୁ କାଠ ଗଣ୍ଡି ଜବତ ହେବା ଘଟଣାର ତଦନ୍ତ ଚାଲିଛି : ସାଧାରଣରେ ପ୍ରଶ୍ନ, ତଦନ୍ତ ବାଟବଣା ହେବନି ତ’ ?
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛ କଟା ଓ କାର୍ଯ୍ୟାଳୟ ଭିତରୁ କାଠଗଣ୍ଡି ଜବତ ଘଟଣାର ତଦନ୍ତ ଚାଲିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ତେବେ ଗତ ଡିସେମ୍ବର ମାସ ୨୮ ତାରିଖରୁ ଏହି ଘଟଣା ଘଟି ସାରିଥିବା ବେଳେ ଦୀର୍ଘ ୧ମାସରୁ ଅଧିକ କାଳ ହେବ ତଦନ୍ତ ଚାଲିଥିବା ବିଷୟକୁ ନେଇ ସ୍ଥାନୀୟ ଜନସାଧାରଣରେ ପ୍ରଶ୍ନ ଉଠୁଛି, ତଦନ୍ତ ବାଟବଣା ହେବନାହିଁ ତ’ ?
ସୂଚନା ଯୋଗ୍ୟ ଯେ, ଗତ ଡିସେମ୍ବର ୨୮ ତାରିଖ ଦିନ ଡିଏଫ୍ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ, ରେଞ୍ଜର, ଫରେଷ୍ଟର, ବନରକ୍ଷୀ ତଥା ପାରାଷ୍ଟାଫ୍ ଚଢ଼ାଉ କରି ବିଇଓ ଅଫିସ ପରିସରରୁ କଟା ଶାଗୁଆନ ଗଛର ଷ୍ଟମ୍ପ୍ ଓ କାର୍ଯ୍ୟାଳୟ ଭିତରୁ ଶାଗୁଆନ କାଠଗଣ୍ଡି ଜବତ କରିଥିଲେ । ଏହାପରେ ଜଙ୍ଗଲ ବିଭାଗ ପକ୍ଷରୁ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ଏକ୍ସପ୍ଲାନେସନ୍ ମଗାଯାଇଥିବା ବେଳେ ଏହାର ଉତ୍ତର ମଧ୍ୟ କୁଆଡେ଼ ଜଙ୍ଗଲ ବିଭାଗକୁ ମିଳି ସାରିଛି । କିନ୍ତୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗିରର ଯୁବ ଡିଏଫ୍ଓ ନୀତିଶ କୁମାରଙ୍କ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟାନୁଷ୍ଠାନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦିନ୍ଦାହାଡ଼ା ସରକାରୀ କାର୍ଯ୍ୟାଳୟରୁ ଶାଗୁଆନ ଗଛ କଟାଯାଇ ପୁଣି ଶାଗୁଆନ ଗଣ୍ଡି ଅଫିସ ଭିତରୁ ବାହାରିବା ଭଳି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସହର ବାସୀଙ୍କୁ ତାଜୁବ୍ କରିଛି । ତେବେ ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିବା ରେଞ୍ଜର କେଶବ କିଶୋର ନାୟକଙ୍କୁ ଏ ସଂପର୍କରେ ପଚରା ଯିବାରୁ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।