ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ : ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନକଲି ପରୀକ୍ଷାର୍ଥୀ ଚିହ୍ନଟ । ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟ ଗାର୍ଡ, ଅତିରିକ୍ତ ରେଭିନ୍ୟୁ ଅଫିସର, ଅମିନ, ଅବକାରୀ କନେଷ୍ଟବଳ ଭଳି ୪ଟି ବିଭାଗର ପରୀକ୍ଷା ଚାଲିଥିଲା । ସେହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଜଣେ ନକଲି ପରୀକ୍ଷାର୍ଥୀ ଠାବ ହୋଇଥିବା ଜଣାପଡ଼ିଛି । ନିଜ ସମ୍ପର୍କୀୟ ଭାଇଙ୍କ ପାଇଁ ଜଣେ ବିଟେକ୍ ଛାତ୍ର ପରୀକ୍ଷା ଦେଉଥିବା ବେଳେ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳ ବିଭୁତି ନାୟକ ନାମକ ଜଣେ ଯୁବକ ନିଜ ସମ୍ପର୍କୀୟ ଭାଇ ଗୋପୀନାଥ ନାୟକଙ୍କ ପାଇଁ ଏଆରଆଇ ପରୀକ୍ଷା ଦେଉଥିଲେ । ଆଡମିଟ୍ କାର୍ଡରେ ଲାଗିଥିବା ଫୋଟୋ ସହ ପରୀକ୍ଷାର୍ଥୀଙ୍କ ଫୋଟ ମେଳ ଖାଉ ନଥିବାରୁ ସନ୍ଦେହ ବଢ଼ିଥିଲା । ସମ୍ପୃକ୍ତ ଯୁବକଙ୍କୁ ପଚରା ଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଏନେଇ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ବାଲିଗୁଡ଼ା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପ୍ରକାରେ ନକଲି ପରୀକ୍ଷାର୍ଥୀ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ବାଲିଗୁଡା ପୋଲିସ୍ ।

Leave A Reply

Your email address will not be published.