ଅନ୍‌ଲାଇନ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ ଜାତୀୟ ମତଦାତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ନିର୍ବାଚନ କମିଶନଙ୍କ ପରାମର୍ଶ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲାରେ ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟ ମତଦାତା ଦିବସ-୨୦୨୨ ପାଳିତ ହୋଇଯାଇଛି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ଭି.ସି. ହଲଠାରେ ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ରହି ଅନ୍‌ଲାଇନ୍‌ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ । ବ୍ଲକ ଓ ଉପଖଣ୍ଡ ସ୍ତରରେ ମଧ୍ୟ ଅନୁରୂପ ସଂକଳ୍ପ ପାଠ କରାଯାଇଥିଲା । ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଭୋଟର ମାନଙ୍କୁ ଭୋଟର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଚଳିତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବା ବୁଥ୍‌ ସ୍ତରୀୟ ପୁରସ୍କୃତ ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସ୍ତରୀୟ ପୁରସ୍କୃତ ହୋଇଥିବା ବୁଥ୍‌ ସ୍ତରୀୟ ଅଧିକାରୀ ମାନେ ହେଲେ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୨୩୯ର ବି.ଏଲ.ଓ ରାମବତୀ ସୁନା, ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ୍‌ ନମ୍ବର ୯୧ର ବି.ଏଲ.ଓ ବୃନ୍ଦାବତୀ ପୁଟେଲ ଓ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ୍‌ ନମ୍ବର ୧୫ର ବି.ଏଲ.ଓ କଳ୍ପନା ପୁଟେଲ । ସେହିପରି ଉପଖଣ୍ଡ ସ୍ତରରେ ମଧ୍ୟ ସଂପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବା ତିିନିଜଣ ବି.ଏଲ୍‌.ଓଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ୱାଦଶ ଜାତୀୟ ମତଦାତା ଦିବସର ବିଷୟ ବସ୍ତୁ ‘ନିର୍ବାଚନକୁ କରିବା ସମାବେଶୀ, ସୁଗମ ଏବଂ ସହଭାଗୀ’ ରଖାଯାଇଛି । ଓସୱାନ ଭି.ସି.ହଲ ବଲାଙ୍ଗିର ଠାରେ ଜିଲ୍ଲାପାଳ ଶ୍ରୀ ରାଣା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର, ଡେପୁଟି କଲେକ୍ଟର ରୀନା ନାଏକ, ଇପ୍ସିତା ପାତ୍ର, ଦିବାକାର ବାଗ, ଆସିଷ୍ଟାଣ୍ଟ କଲେକ୍ଟର ଗୁରେଶ୍ୱର ଭୋଇ, ଫାଲ୍‌ଗୁନୀ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଉପଖଣ୍ଡ ସ୍ତରୀୟ ଜାତୀୟ ମତଦାତା ଦିବସ କାର୍ଯ୍ୟକ୍ରମରେ ସଂପୃକ୍ତ ଉପଜିଲ୍ଲାପାଳ ଏବଂ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ସଂପୃକ୍ତ ବିଡ଼ିଓ ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.