ତପସ୍ୱିନୀଙ୍କ ନୂଆଁ ଓକିଲ ଦୀପକ ପଟ୍ଟନାୟକ ନିଯୁକ୍ତ : ଖୁବଶୀଘ୍ର ଏହି ପାରିବାରିକ କନ୍ଦଳର ଅନ୍ତ ଘଟିବ ବୋଲି ଆଶା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗର ନିବାସୀ ପୁଅ ଡା. ସୁମିିତ ସାହୁ ଏବଂ ଛତ୍ରପୁରର ଶ୍ରୀନଗର ନିବାସୀ ଝିଅ ତପସ୍ବିନୀ ଦାଶଙ୍କ ମଧ୍ୟରେ ମଧୁର ସମ୍ପର୍କରୁ ପ୍ରେମବିବାହ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପାରିବାରିକ କନ୍ଦଳ ସୃଷ୍ଟିହୋଇ ଦୀର୍ଘଦିନ ବିତିଯାଇ ଏହା ବହୁ ଚର୍ଚ୍ଚାକୁ ଆସିଛି । ମାମଲା ତୁଟିବା ନାଁ ଧରୁନି । ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଛି । ଶୁକ୍ରବାର ତପସ୍ବିନୀ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ । ହେଲେ ଶୁଣାଣି ଘୁଞ୍ଚିବାରୁ ଅନ୍ୟ ଉପାୟ ନ ପାଇ ପୁଣି ଶାଶୁଘର ଆଗରେ ଧାରଣା ଦେଇଛନ୍ତି । ତପସ୍ୱିନୀଙ୍କ ନୂଆଁ ଓକିଲ ଦୀପକ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି । ଖୁବଶୀଘ୍ର ଏହି ପାରିବାରିକ କନ୍ଦଳର ଅନ୍ତ ଘଟିବ ବୋଲି ଆଶା କରାଯାଉଛି । ଝିଅ ପକ୍ଷରୁ ନିଷ୍ଠାପରତା’ର ସହ ଲଢ଼ି ତପସ୍ୱିନୀଙ୍କୁ ଉଚିତ ନ୍ୟାୟ ଦେବେ ବୋଲି ଆଡ଼ଭୋକେଟ ଦୀପକ ପଟ୍ଟନାୟକ ସ୍ୱଷ୍ଟ କରି କହିଛନ୍ତି । ଅନ୍ୟପକ୍ଷରେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ ଉପର କୋର୍ଟକୁ ଯାଇଛନ୍ତି ବୋଲି କୁହାଯାଏ । ସ୍ବାମୀଙ୍କ ସହ ରହିବା ପାଇଁ ତପସ୍ବିନୀ ଗତ ୨୬ ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପିଟିଶନ ଦାଖଲ କରିଥିଲେ । ଶୁକ୍ରବାର ଏହାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା । ତେବେ ତପସ୍ବିନୀ ସମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହିତ କୋର୍ଟରେ ହାଜର ହୋଇଥିଲେ । ସନ୍ଧ୍ୟାରେ କୋର୍ଟ ମୂଳ ପିଟିଶନ ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚିଲା ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଡା. ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ, ପ୍ରଦୀପ କୁମାର ବେହେରା ଶୁକ୍ରବାର ଆଉ ଏକ ପିଟିଶନ ରୁଜୁ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଯୋଗୁଁ ଡା. ସୁମିତଙ୍କ ବିରୋଧରେ କ୍ରିମିନାଲ କେସ୍‌ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା । ଏହା ସହିତ ତପସ୍ବିନୀଙ୍କ ରହିବା ପାଇଁ ଡା. ସୁମିତ ବ୍ୟବସ୍ଥା କରିନାହାନ୍ତି । ତେଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତପସ୍ବିନୀଙ୍କୁ ଶାଶୁଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ଭରଣପୋଷଣ ବାବଦକୁ ମାସିକ ୫୦ ହଜାର ଟଙ୍କା ଦେବାକୁ ପିଟିଶନରେ ଉଲ୍ଲେଖ କରାଯାଇଛି । ଏହି ପିଟିଶନ ଶୁଣାଣି କରି କୋର୍ଟ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ସମୟରେ କୋର୍ଟରେ ମଧ୍ୟ ପିଟିଶନ ଆବେଦନ କରିପାରିବେ ବୋଲି କହିଛନ୍ତି । ଏଭଳି ନିର୍ଦ୍ଦେଶ ଜାରୀ ପରେ ତପସ୍ବିନୀ ଶୁକ୍ରବାର ରାତିରେ ପ୍ରମିଳାଙ୍କ ସହିତ ବ୍ରହ୍ମାନଗରସ୍ଥିତ ଶାଶୁଘର ଆଗରେ ବସିଛନ୍ତି । ଅନ୍ୟପଟେ ଶୁକ୍ରବାର ଡା. ସୁମିତଙ୍କ ତରଫରୁ ଆଇନଜୀବୀ ଦେବସ୍ନାନ ଦାଶ ଜିଲ୍ଲା ଜଜ୍‌ କୋର୍ଟରେ ଏକ ପିଟିଶନ ରୁଜୁ କରିଛନ୍ତି ।

Leave A Reply

Your email address will not be published.