ସ୍ୱଚ୍ଛ ଭାରତ ଯୋଜନାର ଅସ୍ଵଚ୍ଛ ଚିତ୍ର : ପୁରୁଣାକୁ ଦେଖାଇ ନୂଆ ବିଲ୍, ସିପଟିଙ୍ଗ ନାଁରେ ଚାଳିଛି ଦୁର୍ନୀତି : ମହିଳା ଗୋଷ୍ଠୀଙ୍କୁ ଢାଳ କରି ବାହ୍ୟ ରଜ୍ୟ ଠିକାଦାର ମାଲେମାଲ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ୱଚ୍ଛତାକୁ ପ୍ରଧାନ୍ୟ ଦେଇ କେନ୍ଦ୍ର ସରକାର କୋଟି କୋଟି ଟଙ୍କାରେ ଶୌଚାଳୟ ନିର୍ମାଣ କରୁଛନ୍ତି । ହେଲେ ଏହି ଶୌଚାଳୟ କାହା ପାଇଁ ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯୋଜନାରେ ପାଇଖାନା ପାଇବାର ପ୍ରକୃତ ଲୋକମାନଙ୍କ ପାଇଁ ନା ନିର୍ବାଚନରେ ସହଯୋଗ କରିଥିବା ଲୋକଙ୍କ ପକେଟ ଖର୍ଚ୍ଚ ପାଇଁ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ଯେଉଁ ପରିବାର ପାଇଖାନା ବ୍ୟବହାର କରିବ ସେହି ପରିବାର ନିର୍ମାଣ ଦାୟିତ୍ୱ ନେବା ପରିବର୍ତ୍ତେ ଜଣେ ଏସଏଚଜି ଦଳର ନାମରେ ରାଜ୍ୟ ବାହାରର ଠିକାଦାର କାମ କରୁଥିବାରୁ ପାଇଖାନାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହିତାଧିକାରୀ ନିଜେ ତିଆରି କରୁଥିବା ପାଇଖାନାର ବିଲ କରିବାକୁ ବିଭିନ୍ନ ସମୟରେ ହଇରାଣ ହେଉଥିବା ବେଳେ ରାଜ୍ୟ ବାହାରର ଠିକାଦାର କରୁଥିବା କାମର ବିଲ ଅତିଶୀଘ୍ର ହେଉଥିବା ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି । ସେହିପରି ସରକାରୀ ତଥ୍ୟ ହିସାବରେ ୨୦୧୧ରେ ସର୍ଭେ କରିଥିବା ଅନୁସାରେ ଦେଓଗାଁ ବ୍ଲକର ୨୧ ହଜାର ୨୬୫ ପରିବାର ମଧ୍ୟରୁ ୧୮ ହଜାର ୫୧୬ ପରିବାର ପାଇଁ ପାଇଖାନା ଆବଶ୍ୟକ ବୋଲି ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୧୯ହଜାର ୪୨୧ଟି ପାଇଖାନା ନିର୍ମାଣ ଶେଷ ହିତାଧିକାରୀମାନେ ଆର୍ଥିକ ସହାୟତା ପାଇଛନ୍ତି । ଏହି ରିପୋର୍ଟ ଅନୁଯାୟୀ ମୋଟାମୋଟି ଭାବେ ଦେଓଗାଁ ବ୍ଲକରେ କୌଣସି ପରିବାର ପାଇଁ ପାଇଖାନାର ଆବଶ୍ୟକତା ନାହିଁ । ହେଲେ ଏବେ ମଧ୍ୟ ପ୍ରତି ଗାଁରେ ୧୦ ପ୍ରତିଶତରୁ ଅଧିକ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି ।
ଜଙ୍ଗଲ ଭିତରେ ଭୂତ ପାଇଖାନା ନିର୍ମାଣ କରି ଭୂତ ଶୌଚ ହେଉଥିବା ଦେଓଗାଁ ବ୍ଲକ ଭିତରର ଫାଇଲ କହୁଛି । ଏହାକୁ ଢାଙ୍କିବା ପାଇଁ ଏବେ ବାହାରି ପଡ଼ିଛନ୍ତି ବିଭାଗୀୟ ଅଧିକାରୀମାନେ । ଗୋଟିଏ ପାଇଖାନାର ରଙ୍ଗ ବଦଲାଇ ଏକାଧିକ ବିଲ୍‌ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି । ତାହା ପୁଣି ଠିକା କରୁଥିବା ମହିଳା ଗୋଷ୍ଠୀ ନାମରେ । ସ୍ବଚ୍ଛ ଭାରତ ଯୋଜନାରେ ହେଉଥିବା ହରିଲୁଟର ଏକ ଲମ୍ବା ତାଲିକା ଗଣମାଧ୍ୟମ ଟିମ୍‌ର ହସ୍ତଗତ ହୋଇଛି । ସ୍ବମୀ, ସ୍ତ୍ରୀ, ବାପ, ପୁଅ ଗୋଟିଏ ଘରେ ରହୁଥିବା ବେଳେ ଅଲଗା ଅଲଗା ପାଇଖାନା ବ୍ୟବହାର କରୁଥିବା ଦେଓଗାଁ ପଞ୍ଚାୟତର ସରକାରୀ ଫାଇଲ କହୁଛି । ଏହି ଫାଇଲକୁ ଯାଞ୍ଚ କଲେ ଅନେକ ବଡ଼ ବଡ଼ିଆଙ୍କ ମୁଖା ଖୋଲିଯିବ‌ ବୋଲି ଆଲୋଚନା ହେଉଛି ।
ଦେଓଗାଁ ବ୍ଲକରେ ୨୨ହଜାର ପାଇଖାନା ନିର୍ମାଣ ପାଇଁ ଟଙ୍କା ଆସିଥିବା ବେଳେ ସେଥିମଧ୍ୟରୁ ୧୯ହଜାର ପାଇଖାନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଅନ୍ୟ ୩ ହଜାର ପାଇଖାନା ନିର୍ମାଣ ହୋଇନଥିବା ବେଳେ ପ୍ରାୟ ୧୩ହଜାରଟି ପାଇଖାନା ନିମ୍ନମାନର କାମ ହୋଇଥିବା ଜଣାପଡ଼ିଛି । ଏଥି ପାଇଁ ପ୍ରାୟ ୧୫କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ ଜଣାପଡ଼ିଛି । ହେଲେ ବାସ୍ତବରେ କେତେକ ସ୍ଥାନରେ ଆଦୌ ପାଇଖାନା ନିର୍ମାଣ ହୋଇନି, ଆଉ କେତେକ ସ୍ଥାନରେ ନିର୍ଧାରିତ ଖର୍ଚ୍ଚରୁ କମ ଖର୍ଚ୍ଚ କରାଯାଇ ନିମ୍ନମାନର ପାଇଖାନା ନିର୍ମାଣ ହୋଇଛି । ଯାହାଫଳରେ ଦିନ କେଇଟାରେ ଅଚଳ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀଙ୍କ ପକ୍ଷରୁ ରାଜ୍ୟ ବାହାରର ଠିକାଦାରମାନେ କରୁଥିବା ପାଇଖାନାଗୁଡ଼ିକ ନିମ୍ନମାନର ଥିବା ଦେଓଗାଁ ବ୍ଲକର ବିଭିନ୍ନ ହିତାଧୀକାରୀ ଅଭିଯୋଗ କରିଛନ୍ତି । କିଛି ଲୋକଙ୍କ ଘରେ ପୂର୍ବରୁ ଥିବା ପାଇଖାନା କାନ୍ଥରେ କେବଳ ସ୍ବଚ୍ଛ ଭାରତ ମିଶନ ଲେଖି ବିଲ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ଦେଓଗାଁ ବ୍ଲକରେ‌ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଳଜଳ ଦେଖାଯାଉଛି । ଦେଓଗାଁ ବ୍ଲକରେ ୨୬ଟି ପଞ୍ଚାୟତର ୧୨୬ଟି ଗାଁରେ ସ୍ବଚ୍ଛ ଭାରତ ମିସନ ଯୋଜନାରେ ଏବେ ମଧ୍ୟ ପାଇଖାନା ନିର୍ମାଣ ଚାଳିଛି । ପାଇଖାନା ବାବଦରେ ସରକାର ସାହାଯ୍ୟ କରୁଥିବା ୧୨ହଜାର ଟଙ୍କା ବାହାରେ ଆର୍ଥିକ ସକ୍ଷମ ଥିବା କିଛି ପରିବାର ଲୋକ ନିଜ ହାତ‌ରୁ ଲଗାଇ କାମ କଲେ ପରେ ହଇରାଣ‌ ହେଉଥିବା ଅଭିଯୋଗ ହେଉଛି । ଦେଓଗାଁ ବ୍ଳକ ସାଲେପାଲି ପଞ୍ଚାୟତର ବଡ଼ଡୁଙ୍ଗୁରିପାଲି ଓ କୁଲିଆବାହାଲ ଗାଁ ବୁଦ୍ଦିଜୀବୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ୨୦୧୫/୧୬ ଆର୍ଥିକ ବର୍ଷରେ ଗ୍ରାମ ବିକାଶ ତରଫରୁ ବଡ଼ ଡୁଙ୍ଗୁରିପାଲି ଗାଁର ୧୨୫ ପରିବାର ଓ କୁଲିହାବାହାଲ ଗାଁର ୨୧୮ ପରିବାର ମୋଟ ୩୪୩ ପରିବାର ପାଇଁ ପାଇଖାନା ଓ ଗାଧୁଆ ଘରରେ ସିମେଣ୍ଟ ଛାତ ଘର ନିର୍ମାଣ ପାଇଁ ପ୍ରାୟ ୩୦ଲକ୍ଷ ଟଙ୍କା ଅନୁଦାନ ବ୍ୟୟ ସହ ଏକ ଓଭରହେଡ଼ ଟାଙ୍କି ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ପାଇଖାନା ନିର୍ମାଣ ପାଇଁ ୧୨ହଜାର ଟଙ୍କା ଅନୁଦାନ ପ୍ରତ୍ୟେକ ପାଇଖାନା ନ ଥିବା ପରିବାରକୁ ଦିଆଯାଉଛି । ପଞ୍ଚାୟତ କାର୍ୟ୍ୟନିର୍ବହୀ ଅଧକାରୀ ସହ ଆରଡବ୍ୟୁଏସଏସ ବିଭାଗର ସଲା ସୁତୁରାରେ ପ୍ରତ୍ୟେକ ପାଇଖାନା ଥିବା ଓ ବ୍ୟବହାର କରୁଥିବା ପରିବାରକୁ ଏହି ଯୋଜନାରେ ପାଇଖାନା କରୁଥିବା କାଗଜ ପତ୍ରରେ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଗାଁର ଲୋକମାନେ ଅଭିଯୋଗ କରୁଛନ୍ତି । ଏଭଳି ଭାବେ ସ୍ବଚ୍ଛ ଭାରତ ଯୋଜନାକୁ ବାଟମାରଣା କରି ପାଇଖାନା ନିର୍ମାଣରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ପ୍ରସୟ ଦେଉଛି କିଏ ? ଏହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଦେଓଗାଁ ବ୍ଲକରେ ପାଇଖାନା ନାଁରେ ଦୁର୍ନୀତି ହୋଇଥିବା କୋଟି କୋଟି ଟଙ୍କାର ତଦନ୍ତ କରି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାର ଉପରେ ଉଚିତ କାର୍ୟ୍ୟନୁଷ୍ଠାନ ନେବା ସହ ପ୍ରକୃତ ହିତାଧୀକାରୀଙ୍କୁ ପାଇଖାନା ଯୋଗାଇଲେ ଯାଇ ଦେଓଗାଁ ବ୍ଲକରେ‌ ସ୍ବଚ୍ଛ ଭାରତ ମିଶନ ସଫଳ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.