jayashree

ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସାମାଜିକ ସେବା ଓ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସିନିୟର ଏଜ୍ ହେଲଥ କେୟାର ଆସୋସିଏସନ, ବାଲିଗୁଡ଼ା । ଆସୋସିଏସନ ପକ୍ଷରୁ ବାଲିଗୁଡ଼ାର ତ୍ରିବେଦୀ ପାର୍କ ନିକଟରେ ‘ଥିଲେ ଦିଅ, ନଥିଲେ ନିଅ’ ଶୀର୍ଷକ ଏକ ଅଭିନବ ବସ୍ତ୍ର ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ମହତ୍‌ ଉଦ୍ୟମର ମୂଳ ଲକ୍ଷ୍ୟ ହେଉଛି, ଯାହାଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ବସ୍ତ୍ର ରହିଛି ସେମାନେ ଅନ୍ୟମାନଙ୍କ ପାଇଁ ଦାନ କରିବେ ଏବଂ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନେ ସେଥିରୁ ନିଜ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ବସ୍ତ୍ର ନେଇପାରିବେ । ବାଲିଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ସଂଜୀବ ରୁପା ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବିଭିନ୍ନ ପ୍ରକାରର ପୋଷାକ ଓ ବସ୍ତ୍ର ସଂଗ୍ରହ କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଥିଲା । ଅଦରକାରୀ ହୋଇପଡ଼ି ରହିଥିବା ପୋଷାକ ଅନ୍ୟ କାହାର ଆବଶ୍ୟକତା ପୂରଣ କରିବା ସହ ସମାଜରେ ସହଯୋଗ, ସମ୍ବେଦନଶୀଳତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା । ଏହି ଅବସରରେ କାଳିନ୍ଦୀ ଚରଣ ପଣ୍ଡା, ରବିନାରାୟଣ ମିଶ୍ର, ଯୁଗଳ କିଶୋର ନାୟକ, ଜେବ୍ରାସ ଦିଗାଳ ଏବଂ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ସମାଜରେ ଜଣଙ୍କ ପାଇଁ ଅଦରକାରୀ ହୋଇଥିବା ଜିନିଷ ଅନ୍ୟ ଜଣଙ୍କ ପାଇଁ ଆବଶ୍ୟକତାର ସମ୍ବଳ ହୋଇପାରେ । ଏହି ସୁନ୍ଦର ଚିନ୍ତାଧାରାକୁ ନେଇ ଆୟୋଜିତ ଏହି ପ୍ରୟାସ ବାଲିଗୁଡ଼ାବାସୀଙ୍କ ମଧ୍ୟରେ ସାମାଜିକ ସହଯୋଗ ଓ ସେବା ମନୋଭାବକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.