ବଣୁଆ ହାତୀଙ୍କ ଉତ୍ପାତରେ ଲୋକେ ଆତଙ୍କିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଚଚରାମୁଣ୍ଡା (ବଡକେନ୍ଦୁ), ଜାମକି, ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବଗବାହାଲ, କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ପଣ୍ଡରେନ୍, ଗୋଦରାମୁଣ୍ଡା ଗାଁ ଗୁଡ଼ିକର ଜନସାଧାରଣ ବଣୁଆ ହାତୀ ଉତ୍ପାତରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଚଚରାମୁଣ୍ଡା (ବଡକେନ୍ଦୁ) ଗାଁର ନିରୀହ ବିଧବା ଖେଲ ଝାରମାଝି ତା’ର ଝିଅ ଶୁଶିଲା ଝାରମାଝି (୧୯)ର ବିବାହ ପାଇଁ ତିନି ବସ୍ତା ଚାଉଳ, ପାଞ୍ଚ ହଜାର ଟଙ୍କା ଓ ଏକ ଭରି ସୁନା ଚାଉଳ ବସ୍ତା ଭିତରେ ରଖିଥିବା ବେଳେ ହାତୀ ଘର ଭାଙ୍ଗି ବାସନ କୁସନ ସବୁ ନଷ୍ଟ କରିବା ସହ ବସ୍ତାରେ ଥିବା ଚାଉଳ, ଟଙ୍କା, ସୁନା ସବୁ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଉକ୍ତ ଗାଁର ଲୁଚନେ ପହରେନ ତିନି ଛୋଟ ଛୋଟ ପୁଅ ଝିଅ ସହିତ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗି ଦେବାରୁ ସେମାନଙ୍କ ଚିତ୍କାର ଶୁଣି ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରିଥିଲେ । ଜାମକି ଗାଁର ପହରିଆପଡାର କଦଳୀ ଗଛ ଓ କିଛି ଘରଗୁଡିକୁ ଭାଙ୍ଗିନଷ୍ଟ କରି ଦେଇଥିବା ଚୈତନ୍ୟ ଦାସ, କୁଶ ମାଝି ଓ ଗ୍ରାମବାସୀ ସୂଚନା ଦେଇଛନ୍ତି । କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ଗୋଦରାମୁଣ୍ଡା ଗାଁର ଟେଙ୍ଗୁ ବାଗର କଦଳୀ ଗଛ ଓ ପରଚି ଗୃହ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ପଣ୍ଡରେନ ଗାଁର ହରିଶ୍ଚନ୍ଦ୍ର ରଣାଙ୍କ ଗୃହର ଆଡ଼ବେଷ୍ଟେଜ୍‌ ଭାଙ୍ଗିରୁଜି ନଷ୍ଟ କରିଦେଇଛନ୍ତି ଏବଂ ତୁଲସୀ ଭୋଇଙ୍କ ନଅ ଏକର ଧାନ ଚାଷ ଖାଇ ନଷ୍ଟ କରିଦେଇଥିବା ଅଭିଯୋଗ ହେଉଛି । ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବଗବାହାଲ ଗାଁର ମାଲିଝରିଆ ମାଝିଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀମାନେ । ବଣୁଆ ହାତୀ ଅନେକ ଚାଷିମାନଙ୍କ ଧାନ ତଥା କପା ଚାଷ ସବୁ ନଷ୍ଟ କରୁଥିବାରୁ ଜନସାଧାରଣଙ୍କ ଜୀବନରେ ମଧ୍ୟ ଭୟ ସୃଷ୍ଟି ହୋଇଛି । ଏନେଇ ଗ୍ରାମବାସୀମାନେ କହିଛନ୍ତି ଯେ, ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।

Leave A Reply

Your email address will not be published.