ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ବିବାଦ : ମନ୍ଦିର ସମ୍ମୁଖରେ କେଶରିୟା ହିନ୍ଦୁ ବାହିନୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଲାଗି ରହିଥିବା ନାନା ପ୍ରକାର ବିବାଦୀୟ ସ୍ଥିତି ଏବେ ସମାପ୍ତ ହେବାର ନାଁ ନେଉନାହିଁ । ବିଗତ ଦିନରେ ମନ୍ଦିରରେ ନିଆଁ ଲାଗିଯିବା ଦିନଠାରୁ ଅଘଟଣ ଲାଗି ରହିଥିବା ବେଳେ ମୁଖ୍ୟ ପୂଜକଙ୍କ ଦେହାନ୍ତ ପରେ ତାଙ୍କ ତିନି ପୁତ୍ରଙ୍କ ମଧ୍ୟରେ ପୂଜା ପାଳିକୁ ନେଇ ଟଣା ଓଟରା ଲାଗି ରହିଥିବା ସାରା ସହରରେ ଚର୍ଚ୍ଚା ହେଉଛି । ଏବେ ପୁଣି ପାଟଣେଶ୍ୱରୀ ମନ୍ଦିରରେ ଆଉ ଏକ ସମସ୍ୟା ରହିଥିବା ବିଷୟ ନେଇ କେଶରିୟା ହିନ୍ଦୁ ବାହିନୀ ବୋବାଲ୍‌ କରିଛି । ଆଜି ମନ୍ଦିର ସମ୍ମୁଖରେ କେଶରିୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ କୁମାର ଭୋଳଙ୍କ ସହ କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେଶରିୟା ହିନ୍ଦୁ ବାହିନୀ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଜଣେ ଅଣ ହିନ୍ଦୁ ତଥା ଇସ୍କନ ଧର୍ମାବଲମ୍ବୀ ବ୍ୟକ୍ତି ମନ୍ଦିରରେ ପୂଜା କରୁଛନ୍ତି । ମନ୍ଦିରରେ ପୂଜା କରୁଥିବା ବର୍ତ୍ତମାନର ମହାବାହୁ ଦାସ (ପି.(୧) ଭକ୍ତିସ୍ୱରୂପ ଦାମୋଦର ଦାସ ଓ ପି.(୨) ଗୌରଗୋବିନ୍ଦ ଦାସଙ୍କ ପିତୃଦତ୍ତ ନାମ ହେଉଛି ମଧୁସୂଦନ ଦିଶ୍ରୀ (ପି.ପରୁଷୋତ୍ତମ ଦିଶ୍ରୀ) । ସେ ଇସ୍କନ ଧର୍ମ ନେବା ପରେ ନିଜର ସାଙ୍ଗିଆ ପରିବର୍ତ୍ତନ କରିଛନ୍ତି । ତେବେ ଜଣେ ଇସ୍କନ ଧର୍ମାବଲମ୍ବୀ ପାଟଣେଶ୍ୱରୀ ମନ୍ଦିରରେ ଦେବୀଙ୍କ ପୂଜା କରିପାରିବେ ନାହିଁ ବୋଲି ବୋବାଲ୍‌ କରିଛି କେଶରିଆ ହିନ୍ଦୁ ବାହିନୀ । ପୁଣି କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ କୁହାଯାଇଛି ଯେ, ପାଟଣେଶ୍ୱରୀ ମନ୍ଦିର କୌଣସି ପରିବାରର ପୈତୃକ ସଂପତ୍ତି ହୋଇ ନଥିବା ବେଳେ ଦେବୋତ୍ତର ବିଭାଗ ଦ୍ୱାରା ବେଆଇନ ପୂଜକ ନିଯୁକ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭାବାବେଗକୁ ଆଘାତ ପହଂଚାଇଛି ।

ବିଶିଷ୍ଟ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଏ ସଂପର୍କରେ କହିଛନ୍ତି ଯେ, ସଂପୃକ୍ତ ପୂଜକ ଜଣକ ଇସ୍କନ ଧର୍ମର ଢାଂଚାରେ ପଡ଼ିଯାଇଛନ୍ତି, ଏଥିପାଇଁ ଦେବୀଙ୍କୁ ପୂଜା କରିବାରେ ଅସୁବିଧା ହୋଇପାରେ । ମୁଁ କହୁନାହିଁ ଯେ, ସେ ପୂଜା କରିବା ଉଚିତ ନୁହେଁ ବୋଲି । ଜଣେ ଦେବୀ ପୂଜକ, ଶକ୍ତି ସାଧକଙ୍କ ପାଇଁ ଯେତିକି ନିଷ୍ଠା ଦରକାର, ସେହି ନିଷ୍ଠାର ଅଧିକାରୀ ହେବାପରେ ଦେବୀ ପୂଜା କରିବା ଉଚିତ ।

ବଲାଙ୍ଗିରର ଅନ୍ୟତମ ବିଶିଷ୍ଟ ସାହିତ୍ୟିକ ସନାତନ ଠାକୁର କହିଛନ୍ତି ଯେ, ଇସ୍କନ ଧର୍ମାବଲମ୍ବୀମାନେ ସାରା ବିଶ୍ୱରେ ଜଗନ୍ନାଥଙ୍କ ପୂଜା କରୁଛନ୍ତି । ଧର୍ମ ବିଶ୍ୱାସ ଉପରେ ପର୍ଯ୍ୟବେଶିତ ହୋଇଥାଏ । ଯେଉଁମାନେ ହିନ୍ଦୁ ରୀତିନୀତି, ହିନ୍ଦୁ ଭାବଧାରା ନେଇ ଜୀବନ ଯାପନ କରନ୍ତି, ସେମାନଙ୍କୁ ଅଣ ହିନ୍ଦୁ ବୋଲି କୁହାଯିବା ମୋ’ ମତରେ ଠିକ୍‌ ନୁହେଁ ।

ପାଟଣେଶ୍ୱରୀ ମନ୍ଦିରରେ ପୂଜାକରୁଥିବା ପରିବାର ସହ ଜଡ଼ିତ ବିଶିଷ୍ଟ ସମାଜସେବୀ ପ୍ରସନ୍ନ ମିଶ୍ର କହିଛନ୍ତି ଯେ, ପାଟଣେଶ୍ୱରୀ ମନ୍ଦିରରେ ସୃଷ୍ଟି ହେଉଥିବା ସମସ୍ତ ସମସ୍ୟା ପଛରେ ଭାତୃବିବାଦ ଜଳ ଜଳ ଭାବେ ଦେଖିବାକୁ ମିଳୁଛି । ସାନଭାଇର ହକ୍‌ ଛଡ଼ାଇବା ପାଇଁ ମଝିଆ ଭାଇର ବାରମ୍ବାର ପ୍ରଚେଷ୍ଟା ରହିଛି । ବଲାଙ୍ଗିର ଅନ୍ୟ କୌଣସି ଦେବୋତ୍ତର ବିଭାଗ ଅଧୀନସ୍ଥ ମନ୍ଦିରରେ ସିସିଟିଭି କ୍ୟାମେରା ଲଗାଯାଇ ନଥିବା ବେଳେ ପାଟଣେଶ୍ୱରୀ ମନ୍ଦିରରେ ସାନଭାଇ ପୂଜା କରିବା ସମୟରେ ସିସିଟିଭି କ୍ୟାମେରା ଲାଗିଛି । ଆହୁରି ଅନେକ ଘଟଣାରେ ଏମାନଙ୍କ ପରିବାରରେ ଲାଗି ରହିଥିବା ଭାତୃ କନ୍ଦଳ ସ୍ପଷ୍ଟ ଅନୁଭବ କରିହେଉଛି । ଅନ୍ୟପକ୍ଷରେ ଇସ୍କନ ଧର୍ମାବଲମ୍ବୀଙ୍କୁ ଅଣ ହିନ୍ଦୁ ଭାବେ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଇସ୍କନ ଧର୍ମାବଲମ୍ବୀମାନଙ୍କ ଏକମାତ୍ର ଲକ୍ଷ୍ୟ ହିନ୍ଦୁ ଧର୍ମର ସୁରକ୍ଷା, ପ୍ରଚାର ଓ ପ୍ରସାର । ଏଥିପାଇଁ ଦେବୋତ୍ତର ବିଭାଗ ମୁଖ୍ୟ ପାରିବାରିକ କନ୍ଦଳରୁ ମହାନ୍‌ ଐତିହ୍ୟସଂପନ୍ନ ପାଟଣେଶ୍ୱରୀ ମନ୍ଦିରକୁ ମୁକ୍ତ କରିବା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ମୁଁ ମତପ୍ରକାଶ କରିବି ।

Leave A Reply

Your email address will not be published.