ସହର ସେବା ସମିତି ପକ୍ଷରୁ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ସେବା ସମିତି ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ତଥା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜୟନ୍ତୀ ହୋଟେଲ ସୋଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହର ସେବା ସମିତିର ଆବାହକ ତଥା ପୂର୍ବତନ ସାଂସଦ ଓ ବିଧାୟକ ସ୍ୱର୍ଗତ ଧନଞ୍ଜୟ ମହାନ୍ତିଙ୍କ ସୁପୁତ୍ର ଶୈଳେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ମହତାବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଏହି ମହାପୁରୁଷଙ୍କ ସ୍ମୃତିଚାରଣ କରାଯାଇଥିଲା । ଆଧୁନିକ ଓଡ଼ିଶାର ନିର୍ମାତା ଡ. ମହତାବଙ୍କ ଅବଦାନ କେବଳ ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା ବା ହୀରାକୁଦ ବନ୍ଧ ଭଳି ବୃହତ ପ୍ରକଳ୍ପରେ ନୁହେଁ, ରାଉରକେଲା ସମେତ ଓଡ଼ିଶାର କୋଣ ଅନୁକୋଣରେ ରହିଛି ବୋଲି ବକ୍ତାମାନେ କହିଥିଲେ । ରାଜ୍ୟରେ ସ୍କୁଲ, କଲେଜ, ଡାକ୍ତରଖାନା, ରାସ୍ତାଘାଟ ନିର୍ମାଣ, ସାଂସ୍କୃତିକ ଅନୁଷ୍ଠାନ, ଆକାଶବାଣୀ ପ୍ରତିଷ୍ଠା ସମେତ ରାଜ୍ୟର ସର୍ବାଙ୍ଗୀନ ବିକାଶ କରି ଆଧୁନିକ ଓଡ଼ିଶାର ନିର୍ମାଣ କରିଥିଲେ । ସଚେତନ ନାଗରିକ ମଞ୍ଚର ପ୍ରତିଷ୍ଠାତା ପି.ପି. ରାୟ ଡକ୍ଟର ମହତାବଙ୍କୁ ଓଡ଼ିଶାର ‘ବିସମାର୍କ’ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରବଣ ପାରିକ ବିବରଣୀ ପାଠ ଅବସରରେ ମହତାବଙ୍କ ଜୟନ୍ତୀ ପାଳନ ସହ ପ୍ରତିବର୍ଷ ପ୍ରତିଷ୍ଠା ଦିବସ ମହାସମାରୋହରେ ହେଉଥିଲେ ମଧ୍ୟ କରୋନା ପାଇଁ ସମସ୍ୟା ହୋଇଛି, ତେବେ ସଦସ୍ୟଙ୍କ ପ୍ରସ୍ତାବ କ୍ରମେ ଏଥରର ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୨୭ରେ ହେବ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକାରୀ ସଭାପତି ତଥା ଚେମ୍ବର ଅଫ କମର୍ସର ପ୍ରାକ୍ତନ ସଭାପତି ସୁନୀଲ କାୟଲ ମହାତାବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସହର ସେବା ସମିତିର ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀ ଯୋଗଦେଇ ମହତାବଙ୍କୁ ଜଣେ ଦୂରଦ୍ରଷ୍ଟା ଓ ବିଚକ୍ଷଣ ରାଜନେତା ବୋଲି ଉଲ୍ଲେଖ କରି ତାଙ୍କ ଆଦର୍ଶରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନର ସଫଳତା କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ଲେଙ୍କା, ସ୍ମିତା ମିଶ୍ର, ଅଞ୍ଜଳି ଦାଶ, ରାଜୀବ ସିଂ, ଭକ୍ତି ରଞ୍ଜନ ସ୍ୱାଇଁ, ଅଶେଷ ମଣ୍ଡଳ, ଶଙ୍କର ସରକାର, ରମାକାନ୍ତ ପାଣ୍ଡେ, ପ୍ରତାପ ପାଢ଼ୀ, ପ୍ରଫୁଲ୍ଲ ନାୟକ, ରାଜେଶ ବାନାର୍ଜୀ, ଦିଗମ୍ବର ମହାନ୍ତି, ସୁଧୀର ପଟ୍ଟନାୟକ ଏବଂ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave A Reply

Your email address will not be published.