jayashree

ରାମେଶ୍ୱରମ୍‌ ଷ୍ଟେସନ୍‌ରେ ଫସିଥିବା ୧୬ ଓଡ଼ିଆଙ୍କୁ ଉଦ୍ଧାର କଲା ଓଡ଼ିଶା ମୋ ପରିବାର

  • ବିମାନ ଯୋଗେ ଆଜି ଫେରିଲେ ୮, କାଲି ଅନ୍ୟ ୮ ଜଣ ଫେରିବେ

ଭୁବନେଶ୍ୱର(କେପିଏନ୍‌ଏସ୍‌) : ଓଡ଼ିଶା ବାହାରେ ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆଙ୍କ ପାଇଁ ସଦାସର୍ବଦା ସହଯୋଗର ହାତ ବଢ଼ାଉଥିବା ଓଡ଼ିଶା-ମୋ ପରିବାରର ଆଉ ଏକ ମହନୀୟ କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପତ୍ତି ଯୋଗୁଁ ରାମେଶ୍ୱରମ୍‌ ଷ୍ଟେସନ୍‌ରେ ଫସି ଯାଇଥିବା ୧୬ ଓଡ଼ିଆ ଯାତ୍ରୀଙ୍କୁ ଓଡ଼ିଶା ମୋ ପରିବାର ଉଦ୍ଧାର କରି ବିମାନରେ ଭୁବନେଶ୍ୱର ଏବଂ ଏଠାରୁ ନିଜ ଘରକୁ ଫେରାଇ ଆଣିବାର ବନ୍ଦୋବସ୍ତ କରିଛି । ଆଜି ଅପରାହ୍ନରେ ଇଣ୍ଡିଗୋ ବିମାନ
ଯୋଗେ ୮ ଜଣ ଫେରିଥିବା ବେଳେ ଆସନ୍ତାକାଲି ଅନ୍ୟ ୮ ଜଣ ଫେରିବେ । ଉଦ୍ଧାର ହୋଇଥିବା ଏହି ଓଡ଼ିଆ ଯାତ୍ରୀଙ୍କ ମଧ୍ୟରେ ଅର୍ଦ୍ଧାଧିକ ବୟସ୍କ ବ୍ୟକ୍ତିଙ୍କ ସହ ମହିଳା ଓ ଶିଶୁ ଅଛନ୍ତି । ଘଟଣାରୁ ପ୍ରକାଶ ଯେ, କିଛି ଓଡ଼ିଆ ତୀର୍ଥ ଯାତ୍ରୀ ଦଳ ତାମିଲନାଡୁର ପ୍ରସିଦ୍ଧ ରାମେଶ୍ୱରମ୍‌ ଭ୍ରମଣରେ ଯାଇଥିଲେ । ତୀର୍ଥ ସାରି ସେଠାରୁ ଗତ ଶନିବାର ଦିନ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିବାର ଥିଲା । ମାତ୍ର ଆନ୍ଧ୍ର ପ୍ରଦେଶରେ ପ୍ରବଳ ବନ୍ୟା ଯୋଗୁଁ ଅଚାନକ ସବୁ ଟ୍ରେନ୍‌ ବାତିଲ ହୋଇଯାଇଥିଲା । ତାମିଲନାଡୁ ଏବଂ ଆଖପାଖରୁ ଆଉ କୌଣସି ଟ୍ରେନ୍‌ ନ ଥିଲା । ଫଳରେ ରାମେଶ୍ୱରମ୍‌ ଷ୍ଟେସନ୍‌ରେ ଓଡ଼ିଆ ତୀର୍ଥଯାତ୍ରୀମାନେ ଫସି ରହିଥିଲେ । କିଛି ଯାତ୍ରୀ ଅନ୍ୟତ୍ର ନିଜର ରହିବା ଯୋଗାଡ଼ କରିଥିଲା ବେଳେ ୧୬ ଜଣ ଯାତ୍ରୀ କିନ୍ତୁ କୁଆଡେ଼ ଯାଇ ନ ପାରି ଅସହାୟ ଅବସ୍ଥାରେ ଅଟକି ରହିଥିଲେ । ସେମାନଙ୍କ ପାଖରେ ନା ଥିଲା ରହିବାର ସୁବିଧା ନା ଖାଇବାର ସୁବିଧା । ଅତ୍ୟନ୍ତ ଦହନୀୟ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ । ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ଥିଲେ ବୟସ୍କା ମହିଳା ଓ ଶିଶୁ । ଅଧିକାଂଶଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ଜଣାପଡ଼ିଛି । ଫସି ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ନିହାରିକା ଦାଶ ନାମକ ଜଣେ ଯୁବତୀ ଏହି ଦୁର୍ଦ୍ଦଶା ସମ୍ପର୍କରେ ଗତ ନଭେମ୍ବର ୨୦ ତାରିଖ ସଂଧ୍ୟାରେ ଓଡ଼ିଶା- ମୋ ପରିବାର ଆବାହକଙ୍କୁ ପ୍ରଥମେ ଖବର ଦେଇଥିଲେ । ଆବାହକ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିନେଇ ତତ୍ପରତା ପ୍ରକାଶ କରିଥିଲେ । ଓଡ଼ିଶା ମୋ ପରିବାର ଆବାହକଙ୍କ ନିର୍ଦ୍ଦେଶରେ ସଂଗଠନର ଚେନ୍ନାଇ ପ୍ରତିନିଧି(ସଦସ୍ୟ) କ୍ଷୀରୋଦ ଜେନା ଏବଂ ସଦସ୍ୟ ପଞ୍ଚାନନ ଜେନା ଅସହାୟମାନଙ୍କ ପାଖରେ ତୁରନ୍ତ ପହଞ୍ଚି ସେମାନଙ୍କର ରହଣୀ ଓ ଖାଇବାର ସୁବନ୍ଦୋବସ୍ତ କରିଥିଲେ । ସେମାନଙ୍କ ଓଡ଼ିଶା ଫେରନ୍ତା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏସବୁର ସଂଯୋଜନା କରିଥିଲେ । ଆଜି ଅପରାହ୍ନରେ ୮ ଜଣ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେମାନଙ୍କୁ ପାଛୋଟି ଆଣିବା ପାଇଁ ବିମାନବନ୍ଦରରେ ଓଡ଼ିଶା ମୋ ପରିବାର ଇନଚାର୍ଜ ବିଧାୟକ ବିକ୍ରମ ପଣ୍ଡା, ଓଡ଼ିଶା ମୋ ପରିବାର ସଦସ୍ୟ ବିଧାୟକ ସୁଶାନ୍ତ ରାଉତ, ଯୁଗ୍ମ ସମ୍ପାଦକ ସମୀର ପ୍ରଧାନ, ବିଜୁ ଯୁବ ଜନତା ଦଳର ସମ୍ପାଦକ ଲଗ୍ନଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ସକାଳେ ବିମାନ ଯୋଗେ ଅନ୍ୟ ୮ ଜଣ ଫେରିବେ । ଫେରିବାକୁ ଥିବା ଜଣେ ଯୁବକଙ୍କ ସମେତ ୮ ମହିଳା ଚେନ୍ନାଇ ଉପକଣ୍ଠ କାନାତୁର ରେଡିକୁପମ୍‌ ଠାରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଶ୍ରୟ ନେଇଛନ୍ତି । ସେମାନଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ଯାବତୀୟ ଭଲମନ୍ଦ ବୁଝୁଛନ୍ତି । ଓଡ଼ିଶା ମୋ ପରିବାର ପ୍ରତିନିଧି କ୍ଷୀରେଦ ଜେନା ଏବଂ ପଞ୍ଚାନନ ଜେନା ।

Leave A Reply

Your email address will not be published.