ମତ୍ସ୍ୟ କ୍ଷେତ୍ରରେ ଅଭିବୃଦ୍ଧିର ବ୍ୟାପକ ସମ୍ଭାବନା ରହିଛି : କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା

• ମତ୍ସ୍ୟଜୀବୀ, ମହିଳାମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି କଲେ ଆହ୍ୱାନ
• ମତ୍ସ୍ୟଜୀବୀ ମହିଳାମାନଙ୍କ ସଶକ୍ତିକରଣ ପ୍ରତି ସରକାର ଧ୍ୟାନ ଦେଉଛନ୍ତି : ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ. ମୁରୁଗାନ
• ଦେଶର ପାଞ୍ଚଟି ବୃହତ ବନ୍ଦର ମଧ୍ୟରୁ ଅନ୍ୟତମ ପାରାଦୀପକୁ ଏବେ ବୃହତ୍ତ ମାଛଧରା ବନ୍ଦର ଭାବେ ବିକଶିତ କରାଯାଉଛି : ଡ. ମୁରୁଗାନ
• ପ୍ରଥମ ଥର ଲାଗି ବାଲେଶ୍ୱରକୁ ମିଳିଲା ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ପୁରସ୍କାର; ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ମତ୍ସ୍ୟ ଦିବସ

ଭୁବନେଶ୍ୱର, (ପିଆଇବି) : ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଏବଂ ଭାରତ ସରକାର ୨୦୨୪-୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା । ଆଜି ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ ଉପଲକ୍ଷେ ଶ୍ରୀ ରୂପାଲା ଏହା କହିଥିଲେ ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ରୂପାଲା କହିଥିଲେ ଯେ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୂତନ ବିକଳ୍ପ ସନ୍ଧାନ କରିବା ଏବଂ ପରସ୍ପରର କାର୍ୟ୍ୟରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ବର୍ତ୍ତମାନ ପରିବେଶ ଅନୁକୂଳ ମାଛ ଧରା ଉପରେ ଗୁରୁତ୍ୱାରୋପ କରାଯିବାର ଆବଶ୍ୟକତା ରହିଛି । ଆବଶ୍ୟକତା ପୂରଣ କରିବା ସହିତ ଏହି କ୍ଷେତ୍ରର ଦୀର୍ଘସ୍ଥାୟିତ୍‌ବକୁ ବଜାୟ ରଖିବା ମଧ୍ୟ ଜରୁରି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ୨୦୨୪-୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । କିସାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ଶ୍ରୀ ରୂପାଲା ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ସାମୁଦ୍ରିକ ମାଛ ଧରା କ୍ଷେତ୍ରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ଲାଗି ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ସରକାର କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ଖୁବଶୀଘ୍ର ଏକ ବଡ଼ ଅଭିଯାନ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ । ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ଏଲ ମୁରୁଗାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟ କ୍ଷେତ୍ର ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ପାଇଁ ପରିକଳ୍ପନା କରିଥିଲେ । ଖୁବ କମ୍ ସମୟ ମଧ୍ୟରେ ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦିଆଯାଇଛି । ଦେଶ ଏବେ ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ଆୟ ସୃଷ୍ଟି କରିବା ଲାଗି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି । ଭାରତ ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା କାର୍ୟ୍ୟକାରୀ କରୁଛନ୍ତି ଏବଂ ଏହି ଯୋଜନା ଜରିଆରେ ୨୦ ହଜାର କୋଟି ଟଙ୍କାର ପାଣ୍ଠି ବିନିଯୋଗ କରାଯାଇଛି । ସରକାର ମଧ୍ୟ ସାମୁଦ୍ରିକ ଶୈବାଳ ଚାଷ ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛନ୍ତି । ଆମେ ମଧ୍ୟ ଏହି କ୍ଷେତ୍ରରେ ମତ୍ସ୍ୟଜୀବୀ ମହିଳାମାନଙ୍କ ସଶକ୍ତିକରଣ ଏବଂ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉପରେ ଜୋର ଦେଉଛୁ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ଦେଶର ପାଞ୍ଚଟି ପ୍ରମୁଖ ବନ୍ଦର ମଧ୍ୟରୁ ଅନ୍ୟତମ ପାରାଦୀପକୁ ଏକ ବୃହତ ମାଛ ଧରା ବନ୍ଦର ଭାବେ ବିକଶିତ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ବାଲେଶ୍ୱର ଜିଲ୍ଲାକୁ ଦେଶର ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରାଜ୍ୟ ପୁରସ୍କାର ପାଇଥିବା ବେଳେ ତେଲଙ୍ଗାନାକୁ ଶ୍ରେଷ୍ଠ ଅନ୍ତରୀଣ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ପୁରସ୍କାର ଦିଆଯାଇଥିଲା । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବାଲାଘାଟକୁ ଆଭ୍ୟନ୍ତରୀର ମଧୁର ଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଦିଆଯାଇଥିଲା । ତ୍ରିପୁରାକୁ ଶ୍ରେଷ୍ଠ ପାର୍ବତ୍ୟ ମତ୍ସ୍ୟ ଉତ୍ପାଦନ ରାଜ୍ୟ ପୁରସ୍କାର ମିଳିଥିବା ବେଳେ ଆସାମର ବଙ୍ଗାଇଗାଓଁଙ୍କୁ ଏହି ବର୍ଗରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଦିଆଯାଇଥିଲା । ଏଥିପୂର୍ବରୁ ସମାରୋହ ପରିସରରେ ଚାଷୀ ଏବଂ ଉଦ୍ୟମୀମାନଙ୍କ ଦ୍‌ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପ୍ରଦର୍ଶନୀ ଷ୍ଟଲଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଏବଂ ଅତିଥିମାନେ ବୁଲି ଦେଖିଥିଲେ । ମତ୍ସ୍ୟଚାଷ କ୍ଷେତ୍ରରେ ବିଭିନ୍ନ ପୋଷ୍ଟର, ଜିଙ୍ଗଲ ମଧ୍ୟ କାର୍ୟ୍ୟକ୍ରମ ଅବସରରେ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.