ଭୁବନେଶ୍ୱର, (ସୁଶାନ୍ତ କୁମାର ସାହୁ) : କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡିଶାର ପରମ୍ପରା ଓ ଧର୍ମୀୟ ଭାବନା ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଉତ୍କଳର ପ୍ରାଚୀନ ଗାରିମାମୟ ନୌବାଣିଜ୍ୟ ଇତିହାସ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟତା ରହିଛି । ଏହାକୁ ସାଧାରଣତଃ ଓଡ଼ିଶାର ପୁରପଲ୍ଲୀରେ ଧର୍ମ ମାସ ହିସାବରେ ବିବେଚନା କରାଯାଏ । ଏହି ପର୍ବ ସହିତ ଓଡ଼ିଶାର ନିଜସ୍ୱ ଚାଲିଚଳଣୀ ଓ ପାରମ୍ପରିକ ଆଚାରବିଚାର ଯୋଡି ହୋଇ ରହିଛି ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା ସହ ଜଡିତ ପାରମ୍ପରିକ ସଂସ୍କୃତିର ପ୍ରଚାର ପ୍ରସାର ତଥା ଲୋକକଳାକୁ ରୁଦ୍ଧିମନ୍ତ କରିବା ପାଇଁ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ୩୦ ଗୋଟି ଜିଲ୍ଲାରେ ଥିବା ଲୋକକଳା ଗ୍ରାମ ସହିତ ଭୁବନେଶ୍ୱର, ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଝୋଟିଚିତା, ହୁଳହୁଳି, ଡ଼ଙ୍ଗାଭସାଣି, ଲକ୍ଷ୍ମୀପୁରାଣ ଓ ଭାଗବତ ପଠନ ଏବଂ ପିଠାପଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ମହୋତ୍ସବ ଓ ପ୍ରତିଯୋଗିତାରେ ମହିଳାମାନେ ଅତି ଉତ୍ସାହର ସହ ଭାଗ ନେଇଥିଲେ । ଝୋଟି ଚିତା ପ୍ରତିଯୋଗିତାରେ ୧୭୩, ପିଠାପଣା ପ୍ରତିଯୋଗିତାରେ ୩୦, ଲକ୍ଷ୍ମୀପୁରାଣ ପଠନ ପ୍ରତିଯୋଗିତାରେ ୧୬ ଓ ହୁଳହୁଳି ପ୍ରତିଯୋଗିତାରେ ୪୫ଜଣ ମହିଳା ଭାଗ ନେଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗ ପରାମର୍ଶଦାତା ଶ୍ରୀମତୀ ସୁଲତା ଦେଓ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସ୍ୱତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ସଂଘ ଉପସଭାପତି ଅବନୀ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ନିଜ ବକ୍ତବ୍ୟରେ ନିର୍ଦ୍ଦେଶକ ଶ୍ରୀ ଦାସ ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ ରଖିବା ଲାଗି ରାଜ୍ୟ ସରକାର ନେଉଥିବା ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ । ଓଡ଼ିଆ ଜାତିର ପରିଚାୟକ ବିଭିନ୍ନ ପ୍ରତିଯୋଗିତାରେ ଅତି ଉତ୍ସାହର ସହ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମା’ ଓ ଭଉଣୀମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଏହି କାର୍ୟ୍ୟକ୍ରମ ପ୍ରତି ବର୍ଷ ଆୟୋଜନ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କଳାକ୍ଷେତ୍ର ସାଂସ୍କୃତିକ କେନ୍ଦ୍ର ଏବଂ ହେଲ୍ପମେଟ ମହିଳା ସଂଘଙ୍କ ସହଭାଗିତାରେ ଆୟୋଜନ କରାଯାଇଥିଲା । ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post