ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ଭୀରୁତାପୂର୍ଣ୍ଣ ଆକ୍ରମଣ ବିରୁଦ୍ଧରେ ବିକ୍ଷୋଭ : ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୋଲିସ ସମ୍ମୁଖରେ ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କର୍ମୀମାନଙ୍କ ଉପରେ ବିଜେଡି କର୍ମୀମାନଙ୍କ ଭୀରୁତାପୂର୍ଣ୍ଣ ଆକ୍ରମଣ ବିରୁଦ୍ଧରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି । ପ୍ରକାଶ ଯେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଗସ୍ତରେ ଆସିଥିଲେ । ତାଙ୍କର ଏହି ଗସ୍ତ ସମୟରେ ମମିତା ମେହେର ହତ୍ୟା ଘଟଣାରେ ସରକାରୀ ଉଦାସିନତା ବିରୁରଦ୍ଧରେ ବରଗଡ ଜିଲ୍ଲା ଛାତ୍ର କଂଗ୍ରେସର କିଛି କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ବରଗଡ ପୋଲିସ ଉକ୍ତ ଛାତ୍ର ନେତାଙ୍କୁ କାବୁ କରି ଅଟକ ରଖିବା ପାଇଁ ଥାନାକୁ ନେଇ ଯାଉଥିବା ବେଳେ କିଛି ବିିଜେଡି କର୍ମୀ ପୋଲିସ ଭ୍ୟାନରୁ କଂଗ୍ରେସ କର୍ମୀଙ୍କୁ ଟାଣି ଆଣି ମାଡ ମାରିଥିଲେ । ଏହି ଆକ୍ରମଣ ସମୟରେ ପୋଲିସ ମହଯୁଦ ଥିବା ସତ୍ୱେ ନିରବ ଦ୍ରଷ୍ଟା ସାଜି ଥିଲା । ଆହୁରି କିଛି ମିଡିଆ କର୍ମୀ ପୋଲିସକୁ ଏହି ଘଟଣା ସମ୍ଭନ୍ଧରେ ପଚାରିବାରୁ ଏଭଳି କିଛି ହୋଇ ନାହିଁ ବୋଲି ଉତ୍ତର ରଖିଥିଲା । ଯାହା ରାଜ୍ୟରେ ଆଇନ ଶୃଙ୍ଖଳାର ଅବସ୍ଥା ଓ ପୋଲିସର ଭୂମିକା ସର୍ବ ସମ୍ମୁଖରେ ରଖିଛି ବୋଲି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଏହି ଘଟଣାରେ ସଂପୃକ୍ତ ବିଜେଡି କର୍ମୀ ଓ ପୋଲିସ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କଂଗ୍ରେସ ଏହି ମାମଲାକୁ ନେଇ ରାଜ ରାସ୍ତକୁ ଓହ୍ଲାଇବ ବୋଲି କଂଗ୍ରେସ ଚେତାଇ ଦେଇଛି । ପୋଲିସ ପକ୍ଷରୁ ବଲାଙ୍ଗିର ଉପଖଣ୍ଢ ପୋଲିସ ଅଧିକାରୀ ତୋଫାନ ବାଗ ଦାବୀପତ୍ର ଗ୍ରହଣ କରିବା ସହ ଉପରସ୍ତ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରିବେ ବୋଲି କହିଥିଲେ । ଆଜିର ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ନାରୀ ନେତ୍ରୀ ମିଲନୀ ସାହୁ, ସଞ୍ଜୟ ମିଶ୍ର, ଅଜିତ ମହାନନ୍ଦ, ଶୁଭେନ୍ଦୁ ସାହୁ, ନିତିଶ ପ୍ରଧାନ, ନିରଞ୍ଜନ ମିଶ୍ର, ଟୁଲୁ ସେନ, ଓମ ରାଉତ, ଶୁଭମ ଷଢଙ୍ଗି, ବନମାଲୀ ସାହୁ, ସୁମନ୍ତ ବିଭାର, ସୁଜିତ କୁମ୍ଭାର, ଅମନିତ ବାଗ, ଜଗା ରାଏ, ତୁଷାର କୁମ୍ଭାର, କୁଲମଣୀ ସାହୁ, ଭୀକାରି ସାହୁ, ଅମୂଲ୍ୟ ସେଠ, ଟୁନା ସାହୁ, ପ୍ରଦୋଷ ପାଣିଗ୍ରହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.