centurian jitm

ଅଧାପନ୍ତରିଆ ବାଦୀପଡା-ସଇଁନ୍ତଲା ବ୍ରିଜ ପ୍ରସଙ୍ଗ : ଭୋଟ ବର୍ଜନ କରିବାକୁ ପଞ୍ଚାୟତବାସୀଙ୍କ ଚେତାବନୀ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଲୋକମାନଙ୍କ ଗମନା ଗମନ ସୁବିଧା ପାଇଁ ଗୁଡ଼ାଏ ଯୋଜନା କରୁଛନ୍ତି । କିନ୍ତୁ ଅବହେଳା ଯୋଗୁଁ ସରକାରଙ୍କ ଯୋଜନା ଗୁଡ଼ିକ ଫେଲ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଶାସକ ଦଳର ରାଜନେତା ତଥା ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ ବର୍ଷ ବର୍ଷ ବିତିଗଲାଣି, ହେଲେ ଅଧାପନ୍ତରିଆ ଭାବେ ପଡିରହିଛି ବାଦୀପଡା-ସଇଁନ୍ତଲା ଲାଂଥ ନଦୀ ବ୍ରିଜ । ଏହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ଉପରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନର ପନ୍ଥା ଗ୍ରହଣ କରିବା ପାଇଁ ଲୋକେ ସଜବାଜ ହେବାରେ ଲାଗିଲେଣି । ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ଲୋକେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।ସୂଚନା ମତେ ଡୁଙ୍ଗୁରିପାଲି, କଅଁସର, ଘୁନସର ଭଳି ଅନେକ ପଞ୍ଚାୟତର ହଜାର ହଜାର ଲୋକେ ଏହି ବାଦୀପଡା ରାସ୍ତା ଦେଇ ନଦୀ ପାର ହୋଇ ଯା’ଆସ କରିଥାନ୍ତି । ତେବେ ୫ ବର୍ଷରୁ ଅଧିକ ହେବ ବ୍ରିଜ ସମ୍ପୂର୍ଣ୍ଣ ହେଉ ନ ଥିବା ବେଳେ ଯାତାୟାତ କରିବା ପାଇଁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ସମେତ ରୋଗୀଣା ତଥା ଗର୍ଭବତୀ ମହିଳାମାନଙ୍କ ପାଇଁ ଅନେକ ବାଧାପ୍ରାପ୍ତ ହୋଇଛି । ପ୍ରକାଶ ଥାଉକି ଯେ, ବାଦୀପଡା ନିକଟରେ ଉକ୍ତ ନଦୀ ଉପରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କାର୍ୟ୍ୟ ଗତ ୧୮/୦୨/୨୦୧୬ରୁ ଆରମ୍ଭ ହୋଇଥିବା ବେଳେ ଏହି ପୋଲ ନିର୍ମାଣ କାର୍ୟ୍ୟ ଗତ ୧୪/୦୫/୨୦୧୮ ମସିହାରେ ସମାପ୍ତ ହେବା କଥା । ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତ ସୋମବାର ଦିନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉକ୍ତ ବ୍ରିଜର ତଦାରଖ କରିବା ପାଇଁ ଆସିଥିବା ବେଳେ ଅସନ୍ତୋଷ ଲୋକଙ୍କ ପ୍ରଶ୍ନ ବାଣରେ ଦୁଇ ମନ୍ତ୍ରୀ ଘାଇଲା ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁ ଲୋକଙ୍କ ପ୍ରଶ୍ନ ଉତ୍ତର ନ ଦେଇ ଚୁପଚାପ ରହି ଯାଇଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଥିଲେ । ଦୀର୍ଘ ବର୍ଷ ଧରି ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଦେଖା ଦର୍ଶନ ମିଳୁ ନଥିବା ଭଳି ଅଭିଯୋଗ ମଧ୍ୟ ଉଠାଇଥିଲେ ଲୋକେ । ଅନ୍ୟପଟେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହୁଛନ୍ତି ଯେ, ସରକାର ଟଙ୍କା ଦେଉଛନ୍ତି ହେଲେ ବଲାଙ୍ଗିର ଜିଲ୍ଲାରେ ବଡ଼ବଡ଼ିଆ ଠିକାଦାର ମାନେ କାମ ନ କରି ପେଟି ଠିକାଦାର ହାତରେ କାମ ଟେକି ଦେଉଛନ୍ତି, ଫଳରେ କାମ ସମ୍ପୁର୍ଣ୍ଣ ହୋଇ ପାରୁନାହିଁ । କିନ୍ତୁ ଲୋକେ କାହିଁକି ଏଭଳି ଠିକାଦାରଙ୍କୁ କାମ ଦେଉଛନ୍ତି ବୋଲି ପଚାରିବାରୁ ଲୋକଙ୍କ ଉପରେ ଚିହିିଁକି ଉଠି ରାଗି ଯାଉଥିବାର ଭିଡ଼ିଓ ମଧ୍ୟ ରହିଛି । ଯଦି ଜଣେ ମନ୍ତ୍ରୀ ଲୋକଙ୍କୁ ସମ୍ମାନ ଦେବାର ଶିଖି ନାହାନ୍ତି ତ’ ଲୋକଙ୍କ ସେବା ସହଯୋଗ କିଭଳି କରିବେ, ତାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି ସାଧାରଣରେ ।

ତେବେ ଲୋକେ ବ୍ରିଜରେ ଯାତାୟାତ କରିବା ପାଇଁ ଅନେକ ସ୍ୱପ୍ନ ଦେଖୁଥିବା ବେଳେ ତାହା ଅଧାରେ ଅଟକି ରହିଛି । କେତେ ସମ୍ପୂର୍ଣ୍ଣ ହେବ କାହାକୁ ମଧ୍ୟ ଜଣାନାହିଁ । ଅନେକ ଥର ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିଲା । ସେହି ସମୟରେ ବର୍ଷା ନ ହେବା ଆଗରୁ କାର୍ୟ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା । ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଅଂଚଳବାସୀ ।

ସେମାନେ ଯାହା କହନ୍ତି:-


କୁନ୍ତୀ ଛତ୍ରିଆ, ବାଦୀପଡ଼ା ସ୍ଥାୟୀ ବାସିନ୍ଦା

ଇ’ ନଦୀର୍‌ ବ୍ରିଜ୍‌ ନେଇଁ ହେବାର ବଲି ସମ୍‌କରର୍‌ ବହୁତ ଅସୁବିଧା ହଉଛେ । ବର୍ଷା ଦିନ୍‌ ଆସିଗଲେ ଆମର୍‌ ମୁଡ଼୍‌ଦୁଖା ଆସି ଯଉଛେ । ନେତା ମନ୍ତ୍ରୀମାନେ ଆମର୍‌ ଗୁଲ୍‌ଗୁଲା ଦେଖି ନେଇଁ ପାର୍‌ବାର୍‌ । ଯଦି ଇ’ ବ୍ରିଜ୍‌ କାମ୍‌ ନେଇଁହେବା, ତ’ ଆମେ କାଏଁଯେ ଭୋଟ୍‌ ଦେମୁ ! ଆଏବାର୍‌ ପଂଚାୟତ ନିର୍ବାଚନ ବେଲ୍‌କେ ଆମେ ଭୋଟ୍‌ ବର୍ଜନ କର୍‌ବାର୍‌ ଲାଗି ଚିନ୍ତା କରିଛୁଁ ।

ଉତ୍ତମ ପୁଟେଲ, ପୂର୍ବତନ ସମିତି ସଭ୍ୟ ତଥା କଂଗ୍ରେସ ଦଳ ବରିଷ୍ଠ ନେତା
ଆମେ ବହୁତ ଆଶା କରିଥିଲୁଁ ସର୍‌କାର୍‌ ଉପ୍‌ରେ ଖୋବ୍‌ ଜଲ୍‌ଦି ଇ ବ୍ରିଜ କାମ୍‌ ହେଇଯିବା ବଲି । ହେଲେ ୫ ବଛର୍‌ ନୁ ଅଏତ୍‌କା ହେଲାନ’ କେଭେଁ ନାଇଁ ସରୁଛେ କାମ୍‌ । ଇ କଥା କେ ନେଇ କରି ବନେ ଥର ଆମର ମନ୍ତ୍ରୀ ଟୁକୁନି ସାହୁକେ କହି କହି କରି ଅଥା ହେଇଗଲୁନ’ । ଯଦି ଇ’ କାମ୍‌ ତୁର୍‌ତି ନେଇଁ ସରୁଛେ, ବଏଲେ ଆମେ ଭୋଟ୍‌ ବର୍ଜନ କରବାର୍‌ ସାଙ୍ଗେ ଘନ୍‌ଘାଇ ଆନ୍ଦୋଳନ କରମୁଁ ।

ଦେବେନ୍ଦ୍ର ଯୋଶୀ, ସଇଁନ୍ତଲା ସାମ୍ବାଦିକ ସଂଘ ସଭାପତି
ମନ୍ତ୍ରୀ ଆର ଠିକାଦାରଙ୍କର୍‌ ସଲାସୁତ୍‌ରା ଲାଗି ଠିକ୍‌ ଭାବେ କାମ୍‌ ନେଇଁ ହେଇ ପାରବାର, ଯାହାକେ ନେଇ କରି ଲୁକେ ବଡା ଦୁଖ୍‌ ନେ ଅଛନ୍ । ପ୍ରଶାସନ ଇତାର୍‌ ଉପ୍‌ରେ ଦୃଷ୍ଟି ନେଇଁ ଦେଲେ, ଆଏବାର ଦିନେ ନେତାମାନଙ୍କୁ ଅଞ୍ଚଳବାସୀ ବିରୋଧ କର୍‌ବାକେ ବାଧ୍ୟ ହେମୁ ।

Leave A Reply

Your email address will not be published.