- ଛତ୍ରପୁର ସହରର ୧୦ ଓ ୧୧ ନମ୍ବର ୱାର୍ଡରେ ଡ୍ରେନ ଭାଙ୍ଗି ଲୋକଙ୍କ ଘରେ ଆଣ୍ଠୁଏ ପାଣି
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଡ୍ରେନେଜ ସମସ୍ୟା ଲାଗିରହିଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ହେତୁ ଲୋକଙ୍କ ନାହିଁ ନଥିବା ସମସ୍ୟା ଦେଖାଦେଇଛି । ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିରହିଛି । ପୁନଃ-ନିର୍ମାଣ ନ ହୋଇ ଡ୍ରେନଗୁଡିକର ଦୁର୍ବଳ ଅବସ୍ଥାରେ ଦୀର୍ଘବର୍ଷ ହେଲା ପଡିରହିଥିବା ହେତୁ ବର୍ଷାଜଳରେ ଭାଙ୍ଗି ଲୋକଙ୍କ ଘରେ ନର୍ଦ୍ଧମା ଜଳ ପ୍ରବାହିତ ହୋଇ ଅବସ୍ଥା ସଙ୍ଗୀନ ହୋଇ ପଡିରହିଛି । ଏନେଇ ଜନସାଧାରଣ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଛତ୍ରପୁର ସହରାଞ୍ଚଳର ୧୦ ନମ୍ବର ଓ ୧୧ ନମ୍ବର ୱାର୍ଡର ସଂଯୋଗରେ ଶ୍ରୀନଗରର ୩ୟ ଗଳି ବରିପଟ୍ଟ ଓ ନାନେୟାପେଟ୍ଟା ସାହିର ବାରିପଟ୍ଟରେ ଥିବା ଏକ ନାଳ ଦୀର୍ଘ ଆଠ ମାସ ହେଲା ଭାଙ୍ଗି ପଡିଥିବା ହେତୁ ଦୈନିକ ସ୍ୱଭାବିକ ସମସ୍ୟା ସାଂଗକୁ ବର୍ଷା ଦିନର ଲଗାଣବର୍ଷା ହେଲେ ନାଳନର୍ଦ୍ଧମାର ଜଳ ରୋଷେଇ ଘର, ଗାଧୂଆଘର, ପାଇଖାନା ଘରେ ପାଣି ପଶି ସଙ୍ଗୀନ ଅବସ୍ଥା ଭଳି ଅଭିଯୋଗ ଆସିଛି । ନାଳ ଭାଙ୍ଗି ଦୂଷିତ ଜଳପ୍ରଦୂଷିତ ହୋଇ ଘରେ ପ୍ରବାହିତ ହେଉଥିବା ଏକ କ୍ଷୋଭ ଓ ପରିତାପ ବିଷୟ ହୋଇଛି । ସେହି ଅଞ୍ଚଳର ସମସ୍ତଘର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଲାୟାନ୍ସକ୍ଲବ ସାମ୍ନାରେ ଅବସ୍ଥାନ କରୁଥିବା ସାମ୍ବାଦିକ ଗୌରପ୍ରସାଦ ମହାପାତ୍ରଙ୍କ ବାରିପଟ୍ଟରୁ ଘରୁକୁ ଦୂଷିତ-ନର୍ଦ୍ଧମା ଜଳ ପ୍ରବାହିତ ହେଉଥିବା ଏକ ସଙ୍ଗୀନ ଦୃଶ୍ୟ ଦେଖାଇ ଦୃଢ଼-ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ବହୁବାର ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନଥିବା ସମ୍ପୃକ୍ତ ପରିବାର ଓ ସାହି ବାସିନ୍ଦାର ଲୋକେ ଅଭିଯୋଗ କରିଛନ୍ତି । ଡ୍ରେନେଜ ସମସ୍ୟା ନେଇ ସହରର ମୁଖ୍ୟ ସଡ଼କପଥ ଅବା ମେନ୍ ରୋଡ଼ ବଜାରର ଏଲ୍ଆଇସି ଅଫିସ, ଆନ୍ଧ୍ର ବ୍ୟାଙ୍କ ଶାଖାରେ ପାଣି ପଶି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି । ଯାହାକି କାର୍ଯ୍ୟାଳୟର ସମସ୍ତ ଆସବାପତ୍ର, ଆବଶ୍ୟକୀୟ କାଗଜପତ୍ର, ରେକର୍ଡ/ନଥିପତ୍ର ନର୍ଦ୍ଧମା ଜଳ ଘେରରେ ରହି ନଷ୍ଟ ହୋଇଯାଇଛି । ଆଗକୁ ଏଭଳି ସମସ୍ୟା ସହ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି । ତୁରନ୍ତ ଏହି ସମସ୍ୟାର ପ୍ରତିକାର କରାଯିବା ନିମନ୍ତେ ସାହିବାସୀ ଦାବୀ କରିଛନ୍ତି । ତେଣୁ ଉଚ୍ଚକର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନଦେଇ ଏହି ସଙ୍ଗୀନ ସମସ୍ୟାର ଆଶୁପ୍ରତିକାର ବ୍ୟବସ୍ଥା କରିବାକୁ ଜନସାଧାରଣଙ୍କ ତରଫରୁ ଅନୁରୋଧ କରାଯାଇଛି ।