ସ୍ଥାୟୀ ଠିକଣା ଖୋଜୁଛି ସିନାପାଲି ଡେଲି ମାର୍କେଟ : ବାରମ୍ବାର ହେଉଛି ସ୍ଥାନ ପରିବର୍ତ୍ତନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଚାଲୁଥିବା ଡେଲି ମାର୍କେଟ ଏବେ ସ୍ଥାୟୀ ଠିକଣା ଖୋଜୁଛି । ବାରମ୍ବାର ସ୍ଥାନ ପରିବର୍ତ୍ତନ ହେଉଥିବା ବେଳେ ଏଠାରେ ବର୍ଷେ ଆଉ ଏକ ଅନ୍ୟ ସ୍ଥାନରେ ବର୍ଷେ ଏମିତି ଚାଳିଛି । ଯାହା ଫଳରେ ସିନାପାଲି ଡେଲି ମାର୍କେଟ ପରିଚୟ ହଜାଇ ବସୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ଏକ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ । ଏଠାରେ ପଡୋଶୀ ଛତିଶଗଡ଼ ରାଜ୍ୟର ବ୍ୟବସାୟୀ ମାନେ ମଧ୍ୟ ଆସିଥାନ୍ତି । ହେଲେ ବାରମ୍ବାର ସ୍ଥାନ ପରିବର୍ତ୍ତନ ହେଉଥିବା ବେଳେ ପ୍ରଶାସନ ସ୍ଥାୟୀ କରିପାରୁନାହିଁ । ସିନାପାଲି ଡେଲି ମାର୍କେଟ ପ୍ରଥମେ ସହରର ମୁଖ୍ୟ ଛକ କୁହାଯାଉଥିବା ବର୍ତ୍ତମାନର ଅସ୍ଥାୟୀ ବସଷ୍ଟାଣ୍ଡ ନେହେରୁ ମଣ୍ଡପଠାରେ ଡେଲି ମାର୍କେଟ ଚାଲିଥିଲା । ଏହା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ହେଲେ ଏଠାରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ସିନାପାଲିର ତହସିଲ ଅଫିସ ନିକଟକୁ ସ୍ଥାନାନ୍ତର କରାଗଲା । ଯାହାକି ତହସିଲ ଅଫିସ ନିର୍ମାଣ ପୁର୍ବରୁ ସ୍ଥାନାନ୍ତର କରଯାଇଥିଲା । ପରବର୍ତ୍ତୀ ସମୟରେ ତହସିଲ ଓ ଆରଆଇ ଅଫିସ ନିର୍ମାଣ କରିବା ପାଇଁ ସେଠାରେ ଉଚ୍ଛେଦ କରାଯାଇ ଅନେକ ଉଠାଦୋକାନୀମାନଙ୍କୁ ନୋଟିସ କରାଯାଇ ତଡ଼ି ଦିଆଯାଇଥିଲା । ଏହାପରେ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇ ଶ୍ରୀରାମ ଛକ ନିକଟରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ଡେଲି ମାର୍କେଟର ଶୁଭାରମ୍ଭ କରାଯାଇଥିଲା । ହେଲେ ସେଠାରେ ୨ ବର୍ଷ ପରେ କରୋନା ମହାମାରୀ ପାଇଁ ସିନାପାଲି ସହରକୁ ପ୍ରବେଶ କରିବାକୁ ବାରଣ କରିବାରୁ ସେଠାରେ ବନ୍ଦ ହୋଇ ରହିଗଲା । ସେଠାରେ ସରକାରୀ ଜାଗା ଚିହ୍ନଟ କରି ଏହି ପଦକ୍ଷେପ ନିଆଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ସ୍ଥାୟୀ ହୋଇପାରିଲା ନାହିଁ । ବର୍ତ୍ତମାନ ସିନାପାଲି- ଗୋଡାଳ ରାସ୍ତା ନିକଟସ୍ଥ ଦେଶୀ ମଦଭାଟି ନିକଟରେ ଡେଲି ମାର୍କେଟ ଚାଲିଛି । ଯାହାକି ଫୋରର୍ୱେ ରାସ୍ତା ଉପରେ ଚାଲିଛି । ଏହି ରାସ୍ତା ବୋଡ଼େନ ଓ କଳାହାଣ୍ଡି ରାସ୍ତା ସଂଯୋଗ କରୁଥିବା ବେଳେ ସିନାପାଲି ସହରରୁ ବାହାରି ଗୋଡାଳ ଦେଇ ଛତିଶଗଡ଼କୁ ସଂଯୋଗ କରୁଛି । ଏହା ଚାରୋଟି ରାସ୍ତାର ମୁଖ୍ୟ ହୋଇ ପଡିଥିବା ବେଳେ ଅନେକାଂଶ ସମୟରେ ଛୋଟବଡ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏପରିକି ଏହି ରାସ୍ତା ଦେଇ ଅନେକ ବିଦ୍ୟାଳୟ ସମେତ ଅନେକ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ଅଞ୍ଚଳର ଲୋକେ ଯିବା ଆସିବା କରୁଛନ୍ତି । ଛାତ୍ରଛାତ୍ରୀମାନେ ଅନେକ ସମୟରେ ଦୁର୍ଘଟଣା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଡେଲି ମାର୍କେଟର ସ୍ଥାୟୀ ସମାଧାନ କରିବାକୁ ସିନାପାଲି ଅଞ୍ଚଳର ଜନସାଧାରଣ ଦାବୀ କରୁଛନ୍ତି । ଡେଲି ମାର୍କେଟକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ଉଠା ଦୋକାନୀମାନେ ମଧ୍ୟ ଏହା ଦ୍ୱରା ପ୍ରଭାବିତ ହେଉଛନ୍ତି । ଖର୍ଚ୍ଚାନ୍ତ ହୋଇ ଠେଲା କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଆଣି ଦୋକାନ ଗୃହ ନିର୍ମାଣ କରୁଛନ୍ତି । ହେଲେ ସ୍ଥାୟୀ ନ ହେବାରୁ ହଇରାଣ ହେଉଛନ୍ତି । ଏପଟେ ପ୍ରଶାସନ ଚିହ୍ନଟ କରି ଭିତ୍ତିପ୍ରସ୍ତର ସ୍ଥାନରେ ପିଣ୍ଡା ତିଆରି କରିବା ସହ ଛାଉଣୀ କାର୍ଯ୍ୟ ଆରମ୍ଭ କରିଛି । ବର୍ତ୍ତମାନ ଶେଷ ପର୍ଯ୍ୟାୟ ଅପେକ୍ଷାରେ ରହିଛି । ହେଲେ ଏଠାରେ ସ୍ଥାୟୀ ଡେଲି ମାର୍କେଟ ତିଷ୍ଠି ରହିବ କି ନାହିଁ ତାହା ସନ୍ଧେହରେ ରହିଛି । ତେଣୁ ଏହି ସ୍ଥାନରେ ଡେଲି ମାର୍କେଟ ବସିଲେ ସୁବିଧା ହୋଇପାରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.