ବନମାଲରେ ଜିଲ୍ଲା ସ୍ତରୀୟ ୭୦ତମ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ବାଗଦୋର ପଞ୍ଚାୟତ ବନମାଲ ଗାଁରେ ୭୦ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।ପାଟଣାଗଡ଼ ଉପଜିଲ୍ଲାପାଳ, ବିଜୟାନନ୍ଦ ସେଠୀ, ଡଃ ସରୋଜ ସାହୁ (ସାଧାରଣ ପରିଚାଳକ ଜିଲ୍ଲା ଦୁଗ୍ଧ ଉତ୍ପାଦନ ସଂଘ), ଭିକ୍ଟୋର ସୋରେନ୍ (ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଲପଡା), ପ୍ରଶାନ୍ତି ପ୍ରଧାନ (ତହସିଲଦାର ବେଲପଡା) ଯୋଗଦାନ କରି କାର୍ଯ୍ୟକୁ ଉତ୍ସାହିତ କରୁଥିଲେ । ଉନ୍ନତମାନର ଗୋସେବା ତଥା ଲାଲନ ପାଳନ କରୁଥିବା ଲୋକଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ପୁରସ୍କାର ପ୍ରଦାନ କରିଛନ୍ତି । ଗାଈ ପାଳନରେ ପ୍ରଥମ ପୁରସ୍କାର ବନମାଲ ଗାଁର ପରମେଶ୍ୱର ବିଶ୍ବାଳ, ଦ୍ବିତୀୟ ପୁରସ୍କାର ବନମାଲ ଗାଁର ଟିକେଶ୍ବର ସା, ତୃତୀୟ ପୁରସ୍କାର ମୁନାପାଲିର ପ୍ରଦ୍ୟୁମ୍ନ କେତେକୀକୁ ଦିଆଯାଇଥିବା ବେଳେ ବାଛୁରୀ ଲାଲନ ପାଳନରେ ବନମାଲ ଗାଁର ପ୍ରଥମ ପୁରସ୍କାର ଭୀଷ୍ମ ବିଶ୍ବାଳ, ଦ୍ବିତୀୟ ପୁରସ୍କାର ଡୋଲାମଣୀ ସାହୁ, ତୃତୀୟ ପୁରସ୍କାର ଅଲେଖ ବିଶ୍ଵାଳକୁ ମିଳିଛି । ଅତିଥିମାନେ ନିଜ ବକ୍ତବ୍ୟରେ ଗୋ ପାଳନ କରି ଦୁଗ୍ଧ ଉତ୍ପାଦନ କରି ଲାଭବାନ ହେବେ ବୋଲି ପରାମର୍ଶ ଦେଇଥିଲେ । ଗୋମାତା ହେଉଛି ଭାରତ ଭୂମିରେ ପୂଜନୀୟ ସେଥିପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷରେ ଏକ ସପ୍ତାହ ପର୍ଯ୍ୟନ୍ତ ଗୋମାତାଙ୍କୁ ପୂଜା କରାଯାଏ । ସେହି ନିୟମ ଅନୁସାରେ ବଲାଙ୍ଗିର ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ଡ଼ଃ ଦିଗାମ୍ବର ନାୟକଙ୍କ ନିର୍ଦ୍ଦେଶନାରେ ବେଲପଡ଼ା ପ୍ରାଣୀ ଚିକିତ୍ସକ ଆନନ୍ଦ ସାଗର ସେଠ ବନମାଲ ଗାଁରେ ଆୟୋଜିତ କରିଥିଲେ । ନିର୍ଭୁଲ ପରିଚାଳନା ଯୋଗୁଁ ବେଲପଡା ପ୍ରାଣୀ ଚିକିତ୍ସକ ଆନନ୍ଦ ସାଗର ସେଠ ଜିଲ୍ଲାପାଳଙ୍କ ଦ୍ୱାରା ପୁରୁସ୍କୃତ ହୋଇଥିଲେ ଏବଂ ଗୋ ସମ୍ପଦ ବିଷୟରେ ବନମାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବକ୍ତବ୍ୟ ପ୍ରଦାନ କରିଥିବାରୁ ଜିଲ୍ଲାପାଳଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.