ଅସ୍ଥାୟୀ ପିଅନ ନିଯୁକ୍ତିରେ ଅନିୟମିତତା ଅଭିଯୋଗ : ପ୍ରଶାସକଙ୍କ ଭୂମିକା ସନ୍ଦେହ ଘେରରେ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତିଗୁଡିକରେ କିଛିଦିନ ତଳେ ଅସ୍ଥାୟୀ ପିଅନ ତଥା କର୍ମଚାରୀ ନିଯୁକ୍ତି ଦିଆଯାଇଛି । ତେବେ ଏହି ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନିଜର ପ୍ରଭାବ ବିସ୍ତାର ପୂର୍ବକ ଜନୈକ ଉଚ୍ଚ ପଦାଧିକାରୀ ସମ୍ପୃକ୍ତ ପେକ୍ସଗୁଡିକ ଉପରେ ଚାପ ପ୍ରୟୋଗ କରି ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କଠାରୁ ଅନୁଚିତ ଅନୁଗ୍ରହ ହାସଲ କରିଥିବା ଅଭିଯୋଗ ହେଉଛି । ପେକ୍ସଗୁଡିକରେ ଅସ୍ଥାୟୀ କର୍ମଚାରୀ ଅଥବା ପିଅନ ନିଯୁକ୍ତି କରାଗଲେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଖବରକାଗଜରେ ମଧ୍ୟ ବିଜ୍ଞାପନ ବାହାର କରାଯିବା ନେଇ ସରକାରୀ ପ୍ରାବଧାନ ରହିଛି । ତେବେ ଏଠାରେ ସମସ୍ତ ନୀତି ନିୟମକୁ ଉଲଂଘନ କରାଯାଇ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ପେକ୍ସ ପରିଚାଳନା ସମିତିଗୁଡିକର କାର୍ଯ୍ୟକାଳ ସରି ଯାଇଥିବା ବେଳେ ଦାୟିତ୍ୱରେ ଥିବା ଜନୈକ ବରିଷ୍ଠ ଅଧିକାରୀ ଏହି ନିଯୁକ୍ତି ଜରିଆରେ ଫାଇଦା ଉଠାଇଥିବା ଚର୍ଚ୍ଚା ହେଉଛି । ସମ୍ପୃକ୍ତ ଅଧିକାରୀଙ୍କ ବେଆଇନ କାର୍ଯ୍ୟକଳାପ ଭିଜିଲାନ୍ସ ସ୍କାନରରେ ଥିବା ବେଳେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ହୋଇଛି । ସୂଚନା ଅଧିକାର ଆଇନ ବଳରେ ଏ ନେଇ ଅଧିକ ତଥ୍ୟ ମଗାଯିବା ସହିତ ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ବାବଦରେ ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଦାବୀ ହେଉଛି । ବେଆଇନ ନିଯୁକ୍ତି ଅଭିଯୋଗ ବାବଦରେ ବଲାଙ୍ଗିର ସ୍ଥିତ ସହକାରୀ ସମବାୟ ସମିତି ନିବନ୍ଧକ (ଏଆର୍‌ସିଏସ୍‌)ଙ୍କ କାର୍ଯ୍ୟାଳୟର ପ୍ରଶାସକ ଗୋବିନ୍ଦ ନାଗଙ୍କୁ ପଚାରିବା ପାଇଁ ତାଙ୍କ ମୋବାଇଲ ନଂ ୯୯୩୭୪୦୭୩୩୩ ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.