ଗୋ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସ୍ତରୀୟ ‘ଓଡ଼ିଆ ସ୍ୱାଭିମାନ ସମ୍ମାନ’

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଂ ରୁମର ସେମିନାର ହଲ୍‌ରେ ଆୟୋଜିତ ଶ୍ରୀ ଗୋ-ବିଜ୍ଞାନ ଫାଉଣ୍ଡେସନ ଓ କଳା ବିକାଶ କେନ୍ଦ୍ର ଛତ୍ରପୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ନିଆରା ଧର୍ମୀ “ଓଡ଼ିଆ ସ୍ୱାଭିମାନ ସମ୍ମାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପରମ୍ପରାରେ ପ୍ରାଚୀନ କାଳରୁ ଗୋ-ସମ୍ପଦର ମହତ୍ୱ ଆବାହମାନ କାଳରୁ ରହି ଆସିଛି, ଏହାକୁ ପୁନଃରାବୃତ୍ତି ପ୍ରଥା ଭାବେ ସମାଜରେ ପ୍ରଚଳନ ସ୍ୱରୂପ ପ୍ରତିପାଳନ ପରମ୍ପରା କ୍ରମେ ପ୍ରତିପାଦିତ କରାଯିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନର ମୂଳ ଲକ୍ଷ୍ୟ ଅଟେ । ଏ କ୍ଷେତ୍ରରେ କୃଷି, ସ୍ୱାବଲମ୍ବନଶୀଳ ବ୍ୟକ୍ତିଙ୍କ ସମେତ ବିବିଧ ବର୍ଗର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରତିଭାବାନ ବ୍ୟକ୍ତି ଏବଂ ରାଜ୍ୟର ବହୁ କୃତିତ୍ତ୍ୱ ଅର୍ଜ୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡିଶାର କୋଣ ଅନୁକୋଣରୁ ଚୟନ କରାଯାଇ ସେମାନଙ୍କୁ ଏହି ମଞ୍ଚରେ ଆହ୍ୱାନ କରାଯାଇ ଏକ ଭବ୍ୟ ସମାରୋହରେ ସମ୍ମାନୀତ କରାଯାଇଛି । ଆଗାମୀ ଦିନରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ଜାତୀୟ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଓଡିଶା କୃଷି ବିପଣନ ନିଗମ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ ଉଦ୍ୟାନ ପ୍ରକଳ୍ପ କ୍ଷୁଦ୍ର ଓ ବଡ଼ ଚାଷୀ, ଗୃହପାଳିତ ଗାଈଗୋରୁ ଚାଷୀ, ଉଦ୍ୟୋଗୀଙ୍କୁ ସମ୍ମାନୀତ ଓ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭକ୍ତ ତ୍ରିପାଠୀ, ଓକେସିଏଲର ଗଞ୍ଜାମ ଜିଲ୍ଲାମୁଖ୍ୟ ତଥା ଛତ୍ରପୁର ରୋଟାରୀ କ୍ଳବ ସଭାନେତ୍ରୀ ଏସ. ରେଖା ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ଛତ୍ରପୁର କଳା ବିକାଶ କେନ୍ଦ୍ରର ସଭାପତି ଇଂ. ରାମଚନ୍ଦ୍ର ପଟ୍ଟନାୟକ, କଳାବିକାଶ କେନ୍ଦ୍ରର ଉପଦେଷ୍ଟା ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଗୋ-ବିଜ୍ଞାନ ଫାଉଣ୍ଡେସନର ଅଧ୍ୟକ୍ଷ ଡା. ନିରାକାର ବେହେରା ମଞ୍ଚାସୀନ ହୋଇଥିଲେ । ଆଗାମୀ ଦିନରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ଏହି ମଞ୍ଚରେ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ଡା. ନିରାକାର ବେହେରାଙ୍କ ଲିଖିତ “ଗୋ- ବିଜ୍ଞାନ” ପୁସ୍ତକ ଉନ୍ମୋଚିତ ହୋଇଥିଲା । ଗୋଟିଏ ଦେଶୀ ଗାଈର ସଫଳ ରକ୍ଷଣାବେକ୍ଷଣ ଦ୍ୱାରା କିପରି ଗୋଟିଏ ପରିବାର ପ୍ରତିପୋଷଣ ହୋଇ ପାରିବ ଏହା ଉପରେ ଆଧାରିତ ଏହି ଗବେଷଣାତ୍ମକ ପୁସ୍ତକ ଖୁବ ଉପାଦେୟ ହେବ ବୋଲି ଆଶା ପ୍ରକାଶ ପାଇଛି । ଏହା ସହିତ ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ପୁରୀର ମହେଶ୍ୱର ଦାଶ, ପାରମ୍ପରିକ ବୈଦ୍ୟ ରାଇରଙ୍ଗପୁରର ସଞ୍ଜୟ କୁମାର ପଟ୍ଟନାୟକ, ଗାଳ୍ପିକ, କବି ଓ ନାଟ୍ୟକାର ସୁ ଗୃହିଣୀ ଶୈଳବାଳା ପାଣିଗ୍ରାହୀ, ନାଟ୍ୟ ନିର୍ଦ୍ଦେଶକ ଗଜେନ୍ଦ୍ର ପ୍ରସାଦ ନାୟକ (ଭୁବନେଶ୍ବର), ଓଡିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା, ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀମତୀ କବିତା ମହାନ୍ତି, କବି ସୁଶାନ୍ତ ଦାସ, ସମାଜସେବୀ ଅନୁରାଧା ଦାଶ (ଭୂବନେଶ୍ବର), ଚିତ୍ରକଳା ଓ ସାହିତ୍ୟ ପାଇଁ ସଞ୍ଜୟ ଭଟ୍ଟ, ଗଣମାଧ୍ୟମ ବ୍ୟକ୍ତିତ୍ୱ ଜୟନ୍ତ ସେଠ୍ (ନିଉଜ-୧୮), ଗାଳ୍ପିକ ଡଃ. ମଣିରାମ ଜେନା, କଣ୍ଠଶିଳ୍ପୀ ଡଃ. ପ୍ରବୀର କେଶରୀ ପ୍ରଧାନ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ, ଜୈବିକ କୃଷି ଉଦ୍ୟଗୀ ଏ. ଟଙ୍କଧର ଦୋରା, ପ୍ରାଣୀ ଚିକିତ୍ସା ବିଜ୍ଞାନୀ ଡା. ବଳରାମ ସାହୁ, ଗୋ-ସେବକ ବନମାଳୀ ସାହୁ (ପାଇକମାଳ), ପ୍ରମୋଦ ରାଉତ (ଚୌଦ୍ଵାର), ଗୋ ବଂଶ ସୁରକ୍ଷା ପାଇଁ ରାମକୃଷ୍ଣ ଚୌଧୁରୀ (ମାଲକାନଗିରି), ଗୋ-ଉତ୍ପାଦ ପ୍ରଶିକ୍ଷକ ସୁମନ୍ତ ପ୍ରଧାନ ( ପୁରୀ)ଙ୍କୁ ସମ୍ମାନୀତ କରାଯାଇଥିଲା । ଏହା ସହ ଟାମଣା ସ୍ଥିତ କଳିଙ୍ଗ ଆଶ୍ରମ, ବୌଦ୍ଧ ଜିଲ୍ଲା ବାମଣ୍ଡା ସ୍ଥିତ ମାହେଶ୍ଵରୀ ଜରାଶ୍ରମ ଏବଂ ସୋରଡା ସ୍ଥିତ ସୁରଭି ଗୋଧାମ ଭଳି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତି ଓ ରେବିକା ସାମନ୍ତରାୟ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.