ଅପରାଧୀମାନଙ୍କୁ ସୁରକ୍ଷା ଦେଉଛି ପୋଲିସ : ନ୍ୟାୟ ଅପେକ୍ଷାରେ ପୀଡିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଦିନରେ ବରଗଡ଼ ପୋଲିସର ବିଭିନ୍ନ ପଦକ୍ଷେପ ବାବଦରେ ଆଲୋଚନା ସମାଲୋଚନା ହେଇଆସୁଛି, ଯେମିତିକି ହାଜତ ମୃତ୍ୟୁ ଘଟଣା ଯେଉଁଥିରେ ପୋଲିସ ବଦନାମ ହେଉଛି । ଏଭଳି ଜିଲ୍ଲାରେ ଅନେକ ଘଟଣା ଦେଖିବାକୁ ମିଳୁଛି ଯେଉଁଥିରେ ପୋଲିସର ଭୂମିକା ସନ୍ଦେହଜନକ ରହୁଥିବା ଅନୁମାନ କରାଯାଏ । ଅପରାଧୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଲଟା ଅପରାଧୀଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଥିବା ପୋଲିସକୁ ସନ୍ଦେହ ଘେରକୁ ଟାଣୁଛି । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଗ୍ରାମରେ । ଗାଁର ଜଣେ ଅବିବାହିତା ମହିଳା ବ୍ରଜେଶ୍ୱରୀ ଦୁଆନଙ୍କୁ ତାଙ୍କ ଗ୍ରାମର କିଛି ଲୋକ ମିଶି ଅଶ୍ଳୀଳ ଭାବରେ ଗାଳିଗୁଲଜ କରି ସଙ୍ଗବଦ୍ଧ ଆକ୍ରମଣ କରିବା ସହ ଜଣେ ଯୁବକ ଟାଙ୍ଗିଆ ଦ୍ୱାରା ମୁଣ୍ଡରେ ଚୋଟ ମାରିଥିବା ଅଭିଯୋଗ ହୋଇଛି । କିନ୍ତୁ ଘଟଣା ଘଟିବା ପରେ ଅଭିଯୋଗ ହେବାର ୧୦ ଦିନ ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ପୋଲିସର ଭୂମିକା ସନ୍ଦେହଜନକ ଲାଗୁଛି । ଏହି ଘଟଣା ପାଇଁ ପୀଡିତା ବ୍ରଜେଶ୍ୱରୀ ଦୁଆନ ସୋହେଲା ଥାନାରେ ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ ଗତ ୧୦ ତାରିଖ ସକାଳ ୭ ଟା ସମୟରେ ପାନୀୟ ଜଳ ପାଣି ପାଇଁ ବ୍ରଜେଶ୍ୱରୀ ଏବଂ ଅଭିଯୁକ୍ତ ମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ଯାହାକୁ ନେଇ ଉତ୍‌କ୍ଷିପ୍ତ ହୋଇ ବବଲୁ ଦୁଆନ ଟାଙ୍ଗିଆରେ ବ୍ରଜେଶ୍ୱରୀଙ୍କ ମୁଣ୍ଡରେ ଏକ ଚୋଟ ମାରିବା ପରେ ପ୍ରବଳ ରକ୍ତସ୍ରାବ ହେବାରୁ ସୋହେଲା ଯାଇ ଚିକିତ୍ସିତ ହୋଇଥିଲେ । ଯେଉଁଥିରେ ତାଙ୍କ ମୁଣ୍ଡରେ ୫ ଟି ଷ୍ଟିଚ ପଡ଼ିଛି । ଏହି ଘଟଣା ପରେ ସୋହେଲା ଥାନାରେ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦେବାପାଇଁ ପୀଡିତା ନିଜେ ଏକ ଏତଲା ଦେଇଥିଲେ । ଯାହାକୁ ପୋଲିସ କୌଣସି ଚାପରେ ପଡ଼ି କିମ୍ବା କୌଣସି କାରଣ ଯୋଗୁଁ ଗୁରୁତ୍ୱ ଦେଉନାହିଁ ବୋଲି ପୀଡିତା ଅଭିଯୋଗ କରିଥିବା ବେଳେ ଏଭଳି ଘଟଣା ମାନେ ପ୍ରକୃତରେ ହିଂସାକୁ ବୃଦ୍ଧି କରିବା ସହ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅପରାଧୀମାନଙ୍କୁ ପରୋକ୍ଷରେ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.