ଗୁଲାବ ବାତ୍ୟାର ଆଂଶିକ ପ୍ରଭାବରେ ମକାଚାଷୀ କ୍ଷତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ଗୁଲାବ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଗୁଲାବ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସେମିତି କିଛି ଆଖି ଦୁର୍ଷିଆ କ୍ଷୟକ୍ଷତି ହୋଇନଥିବା ଖବର ହସ୍ତଗତ ହୋଇଛି । ହେଲେ ବ୍ରାହ୍ମଣୀଗାଁ ଥାନ ଅଧିନସ୍ତ କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଲମ୍ବକିଆରୀ ଗ୍ରାମର ମକା ଚାଷୀମାନେ ଗୁଲାବ ବାତ୍ୟାର ଆଂଶିକ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବାତ୍ୟାର ପ୍ରଭାବରେ ଏକର ଏକର ମକାଚାଷ କରିଥିବା ମକାଗଛ ସବୁ ଭୁଇଁରେ ଲୋଟିପଡିଥିବା ଜଣାପଡିଛି । ଖବର ନେବାରୁ ଜଣା ପଡିଛି ଯେ, ଲମ୍ବକିଆରୀ ଗ୍ରାମବାସୀ ମାନେ ଅତି କମରେ ପରିବାର ପିଛା ୧୦ରୁ୧୫ କି.ଗ୍ରା ମକା ବିହନ ବୁଣି ମକା ଚାଷ କରିଥିଲେ । ବାତ୍ୟାରେ ମକା ଗଛ ସବୁ ମାଟିରେ ଭାଙ୍ଗି ପଡ଼ିଥିବାରୁ ମକାଚାଷୀ ଇସାକ ଶବର, ବେନିୟାମ ଶବର, ଆନ୍ଦ୍ରିୟ ଶବର, ମାନୁଏଲ ମଣ୍ଡଳ, ମାର୍କ ବଡ଼ରଇତ, ମାର୍କ ଶବର, ସଇଦ୍ରକ ଶବର, ଏଲିଆଜର ମଣ୍ଡଳ, ରୁବେନ ମଣ୍ଡଳ ଓ ଇସମାଇଏଲ ଶବର ଏହି କ୍ଷତିରେ ଭାଙ୍ଗି ପଡିଥିବା ସୂଚନା ଦେଇଛନ୍ତି । ମକା ଚାଷକୁ ବ୍ରାହ୍ମୀଣିଗାଁ ଅଂଚଳରେ ଚାଷୀମାନେ ବର୍ତମାନ ଅର୍ଥକାରୀ ଫସଲ ଭାବେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ବାତ୍ୟାର ପ୍ରଭାବରେ ମକା ଗଛ ସବୁ ମାଟିରେ ଲୋଟି ପଡ଼ିଥିବାରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇଥିବା ଜଣାପଡିଛି । ଏହି ପରିସ୍ଥିତିରେ ଜିଲା ପ୍ରଶାସନ ମକା ଚାଷୀଙ୍କ କ୍ଷତିକୁ ଆକଳନ କରି କ୍ଷତି ପୂରଣ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.