ଛତ୍ରପୁର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି ଫୁଟେଜ ଉପରେ ଗୁରୁତ୍ୱାରୋପ

  • ଆମ ପୋଲିସ ଓ ଜନ ସମ୍ପର୍କ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଆଦର୍ଶ ଥାନା ଆନୁକୂଲ୍ୟରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୋଲିସ ଜନ ସମ୍ପର୍କ ମଧ୍ୟରେ କିଭଳି ସଚେତନତା ରହିବା ଆବଶ୍ୟକ ସେ ନେଇ ଆମ ପୋଲିସ ସମିତି ପକ୍ଷରୁ ଛତ୍ରପୁର ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ତଥା ବିଭିନ୍ନ ବର୍ଗର ବ୍ୟବସାୟୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗଦେଇ ସହରରେ ପବ୍ଲିକ ଓ ପୋଲିସ୍ ମଧ୍ୟରେ ଏକ ସୁସମ୍ପର୍କ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ସହରରେ ଥିବା ସମସ୍ତ ଦୋକାନ ମାନଙ୍କରେ ସିସି କ୍ୟାମେରା ଲଗାଇବା ସହ ଆଉ ଗୋଟିଏ ଲେଖାଏଁ ସିସି କ୍ୟାମେରା ବାହାର ପଟକୁ ଲଗାଇବାକୁ ଥାନାବାବୁ ପରାମର୍ଶ ଦେଇଛନ୍ତି । ଯଦ୍ୱାରା ଅସାମାଜିକତା ଏବଂ ଅପରାଧ ନିୟନ୍ତ୍ରଣ କରାଯାଇପାରିବ ବୋଲି ଥାନାବାବୁ କହିଥିଲେ । ସିସି କ୍ୟାମେରା ଏବଂ ସିସିଟିଭିର ଫୁଟେଜ ବହୁ ବଡ଼ ବଡ଼ ସହରାଞ୍ଚଳରେ ସରକାରଙ୍କ ସୌଜନ୍ୟରେ ବ୍ୟବସ୍ଥାପନା ହୋଇପାରିଛି । ଯାହା ନାଗରିକମାନଙ୍କ ସହଯୋଗରେ ଛତ୍ରପୁର ସହରବାସୀ ସରକାରଙ୍କ ଠାରେ ଦାବୀ ଲୋଡ଼ିବା ପାଇଁ ପ୍ରସ୍ତାବ ମଧ୍ୟ ଉଠିଛି । ରାତି ଦିନ ଯେକୌଣସି ସମୟରେ ଅସୁବିଧା ହେଲେ ବିନା ଦ୍ଵିଧାରେ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତ୍ର ସମୟରେ ସହରରେ ପୋଲିସ ପେଟ୍ରୋଲିଙ୍ଗକୁ କଡାକଡି କରାଯିବ ବୋଲି ଥାନାବାବୁ ସ୍ୱଷ୍ଟ କରି କହିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାର ସବ ଇନିସପେକ୍ଟର ସତ୍ୟଜିତ ବେଣିଆ ଓ ବିଶ୍ୱମ୍ବର କହଁର, ଏଏସ୍‌ଆଇ ଶଶିଭୂଷଣ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଥାନାଧିକାରୀଙ୍କ ସମାଜସେବା ମନୋଭାବ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସହରରେ ଚାଲିଥିବା ଜୁଆ ଆଡ୍ଡା, ମଦ ଆଡ୍ଡା ଉପରେ ଘନ ଘନ ଚଢାଉ କରିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ମଝିବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ବଡବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ୍ କୁମାର ରାଉଳ, ଅପରବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି.ରାଜିବାବୁ, ରିକାପଲ୍ଲୀ ବ୍ୟାଘ୍ରଦେବୀ ବଣିକ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଷ୍ଟେସନ ରୋଡ୍ ବ୍ୟବସାୟିକ ସଂଘର ସଭାପତି ଇଜୁ ଆମିନ୍ ଖାନ୍‌, ସୁପରମାର୍କେଟର ପ୍ରୋପାଇଟର ଶଙ୍କର ରାଓ, ବରିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ଏସ.ରାମପ୍ରଭାକର ରାଓ, ଛତ୍ରପୁର ପ୍ରେସକ୍ଳବର ଉପସଭାପତି ସୁଧିର ନାହାକ, ସହସମ୍ପାଦକ କେ. ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ରଖିବା ନିମନ୍ତେ ଛତ୍ରପୁର ଥାନାକୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ ଆଇଆଇସି ଶ୍ରୀ ପ୍ରଧାନଙ୍କ ଏଭଳି ଉଦ୍ୟମକୁ ସେମାନେ ପ୍ରଂଶସା କରିବା ସହ ସହରରେ ଉପୁଜିଥିବା ଟ୍ରାଫିକ ସହ ବିଭିନ୍ନ ସମସ୍ୟା ସମାଧାନ କରିବା ନିମନ୍ତେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଟା ରବୀନ୍ଦ୍ର ନାଥ ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା ଓ ବସନ୍ତ କୁମାର ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ ସାମ୍ବାଦିକ ସୁଜୟ ସୁପ୍ରକାଶ ଧଳ, ଦେବବ୍ରତ ପଣ୍ଡା, ଗୌର ପ୍ରସାଦ ମହାପାତ୍ର ସନ୍ତୋଷ କୁମାର ସାହୁଙ୍କ ସମେତ ଛତ୍ରପୁର ସହରର ବହୁ ବ୍ୟବସାୟୀ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଶେଷରେ ସବଇନିସପେକ୍ଟର ସତ୍ୟଜିତ ବେଣିଆ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କନଷ୍ଟେବଲ ସନ୍ତୋଷ ରେଡ୍ଡୀ ଓ ଥାନାର ବହୁ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.