ରେଲୱେ ସଂଯୋଗ ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବୀ କଲା ନାଗରିକ କମିଟି

ସିନାପାଲି, (ନିରାକାର ମେହେର) : ପ୍ରସ୍ତାବିତ କଣ୍ଟାବାଞ୍ଜି ଜୟପୁର ନୂଆ ରେଲ ରାସ୍ତାରେ ସିନପାଲିକୁ ସଂଯୋଗ କରିବା ନେଇ ସିନାପାଲି ନାଗରିକ କମିଟି ତରଫରୁ ଏକ ଦାବୀପତ୍ର କେନ୍ଦ୍ର ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରାଯାଇଛି । ଆଜି ସିନାପାଲି ନାଗରିକ କମିଟିର ଏକ ପ୍ରତିନିଧି ଦଳ ନୂଆପଡ଼ା ଯାଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ସାକ୍ଷାତ କରି ଆଲୋଚନା ପରେ ସାଂସଦଙ୍କ ମାଧ୍ୟମରେ ଉପରୋକ୍ତ ଦାବୀପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ସାଂସଦ ଉକ୍ତ ଦାବୀକୁ ଗୁରୁତ୍ୱର ସହ ଗ୍ରହଣ କରି ସଙ୍ଗେ ସଙ୍ଗେ କେନ୍ଦ୍ରମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇଥିବା ଜଣାପଡିଛି । ଏହା ପରେ ଏହି ପ୍ରତିନିଧିଦଳ ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କିତ ଦାବୀପତ୍ର ସହ ସିନାପାଲିର ଅନ୍ୟାନ୍ୟ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଦାବୀ କରିଥିଲେ । ଦାବୀଗୁଡିକ ମଧ୍ୟରେ ସିନାପାଲି ସିଏଚ୍‌ସିରେ ଆବଶ୍ୟକ ଡାକ୍ତର ପଦବୀ ପୂରଣ, ସହରରେ ବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା, ବିଜୁ ଏକ୍ସପ୍ରେସ ରାସ୍ତାରେ ଭାରିଜାନ ଚଳା ଚଳ ବ୍ୟବସ୍ଥା, ସିନାପାଲି ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ସହ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ଓ ତହସିଲ ଅଫିସ ସମ୍ମୁଖ ରାସ୍ତା ମରାମତି ଆଦି ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଏହା ତୁରନ୍ତ ପୂରଣ କରିବାକୁ ଦାବୀ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରସ୍ତାବିତ କଣ୍ଟାବାଞ୍ଜି‐ଜୟପୁର ରେଳ ରାସ୍ତା ରାଜ ଖରିଆରରୁ କିରିକିଟା ଦେଇ କଳାହାଣ୍ଡି ଜିଲ୍ଲାର ଗୋଳମୁଣ୍ଡାକୁ ସଂଯୋଗ କରୁଥିବା ବେଳେ ସିନାପାଲି ଏଥିରୁ ବାଦ ପଡିଯାଇଛି । ଏହି ରେଲୱେରେ ସିନାପାଲିକୁ ସଂଯୋଗ କରିବା ପାଇଁ ପୂର୍ବରୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ସରକାରଙ୍କୁ ଦାବୀ କରାଯାଇଥିଲେ ହେଁ ଏ ଯାଏଁ ନିର୍ଭରଯୋଗ୍ୟ ପ୍ରତିଶୃତି ମିଳିପାରୁନାହିଁ । ତେଣୁ ଆଜିର ଦାବୀ ପରେ ସରକାର ଏନେଇ ସକାରାତ୍ମକ ପଦକ୍ଷେପ ନେବେ ବୋଲି ସିନାପାଲି ଅଞ୍ଚଳବାସୀ ଆଶା କରିଛନ୍ତି । ଉଭୟ ସାଂସଦ ଏବଂ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ସିନାପାଲି ନାଗରିକ କମିଟିର ସଭାପତି ଡ଼ମ୍ୱରୁଧର ମେହେରଙ୍କ ସହ ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ଆଇନଜୀବୀ ବୈଶମ୍ପାୟନ ମେହେର, ଶିକ୍ଷାବିତ ନାରାୟଣ ପାତ୍ର, ଭାଜପା ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ନାଗରିକ କମିଟି ସମ୍ପାଦକ ଅରିଗଞ୍ଜନ ଯୋଷୀ, ସ୍ବେଛାସେବୀ ତରୁଣ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.