ବଲାଙ୍ଗିର, (କେପିଏନ୍ଏସ୍) : ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀ ମାନଙ୍କୁ ବହୁ ହଇରାଣ ହର୍କତ୍ କରୁଥିବା ସାମ୍ନାକୁ ଆସିଥିବା ବେଳେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ମାନେ ପ୍ରଶଂସା ନକରି କି ରହି ପ।ରିବେନି । ଗତକାଲି ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଁଖାଇ ଦିନ ରାତି ୯ଟାରେ ଗଉଡ଼ଗୋଠ ଗାଁର ପ୍ରେମସାଗର ନାଗ(୧୨), ବାପା ସ୍ୱର୍ଗତ ରାଜକିଶୋର ନାଗ । ତେବେ ରକ୍ତ କମ୍ ହେବା କାରଣରୁ ପ୍ରେମସାଗର ଦୁର୍ବଳ ହୋଇଯାଇଥିବା ନେଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ମାଧ୍ୟମରେ ଯୋଗଯୋଗ କରିଥିଲେ ମା’ ରାଜେଶ୍ୱରୀ ନାଗ । ଠିକ୍ ସମୟରେ ଆମ୍ବୁଲାନ୍ସ ପହଁଚିଯାଇ ପ୍ରେମସାଗରଙ୍କୁ ସଙ୍ଗେ ସଙ୍ଗେ ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ମାନେ ଆସି ଦେଖିବା ପରେ ଏବେ ହିିଁ ଗୋଟିଏ ରକ୍ତ ନିହାତି ଜରୁରୀ ବୋଲି କହିଥିଲେ । ଠିକ୍ ଏତିକି ବେଳେ ଯେଉଁ ଆମ୍ବୁଲାନ୍ସରେ ଆସିଥିଲେ ସେହି ୧୦୮ ଆମ୍ବୁଲାନ୍ସରେ କାମ କରୁଥିବାର ପାରାକେମିଷ୍ଟ ସୌରଭ ବିଶି ଛୁଆଟିର ମା’ର ଦୁଃଖକୁ ଦେଖି ନପାରି ନିଜେ ସଙ୍ଗେ ସଙ୍ଗେ ରକ୍ତ ଦେବା ପାଇଁ ବାହାରି ପଡିଥିଲେ । ସୌରଭ ବିଶିଙ୍କ ଗାଁ ହେଲା ସାଲେପାଲି, ସେ ଜଣେ ସମାଜସେବୀ ହେବା ସହିତ ୧୦୮ ଆମ୍ବୁଲାନ୍ସରେ ପାରାକେମିଷ୍ଟ ଭାବେ କାମ କରନ୍ତି । ଆଗକୁ ଆଉ ଦୁଇ ରାତି ତାଙ୍କର ୧୦୮ ଆମ୍ବୁଲାନ୍ସରେ ଡିଉଟି ଅଛି ବୋଲି ଜାଣି ମଧ୍ୟ ସେ ରକ୍ତ ଦେବା ପାଇଁ ପଛଘୁଞ୍ଚା ଦେଇ ନଥିଲେ । ସେ ପୂର୍ବରୁ ବି ବହୁତ ଥର ରକ୍ତ ଦାନ କରି ବହୁ ଲୋକଙ୍କ ଜୀବନ ବଁଚାଇଛନ୍ତି । ଏବେ ରାଜ୍ୟରେ ଅଧିକାଂଶ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ରୋଗୀଙ୍କୁ ହଇରାଣ ହର୍କତ୍ କରୁଥିବା ନେଇ ଖବର ମାନେ ଆସୁଥିବା ବେଳେ, ସୌରଭ ବିଶିଙ୍କର ଏହି କାମ ବହୁ ଲୋକଙ୍କର ମନକୁ ଆସିଛି ।