ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବରେ ସୁସ୍ଥ ଗଣ ଦୌଡ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତିର ଅମୃତ ମହୋତ୍ସବ ପାଳନ ଅବସରରେ ଏକ ସୁସ୍ଥ ଗଣ ଦୌଡ ଆଜି ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରୋୟାଲ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିଜକୁ ଫିଟ ଏବଂ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ନିଜ ପରିବାର, ବନ୍ଧୁ ପରିଜନ ଏବଂ ସମସ୍ତଙ୍କୁ ସୁସ୍ଥ ଓ ଫିଟ୍‌ ରହିବା ପାଇଁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେବା ସହିତ ସବଳ ଏବଂ ସମର୍ଥ ରାଷ୍ଟ୍ର ତଥା ସକ୍ରିୟ ଏବଂ ସ୍ୱାବଲମ୍ବୀ ସମାଜ ନିର୍ମାଣ କରିବା ନିମନ୍ତେ ଆମେ ସମସ୍ତେ ପ୍ରତିଦିନ ୩୦ ମିନିଟ୍‌ର ଶାରୀରିକ ବ୍ୟାୟାମକୁ ସୁନିଶ୍ଚିତ କରିବାକୁ ଉପସ୍ଥିତ ସମସ୍ତଙ୍କୁ ସଂକଳ୍ପ ପାଠ କରାଇଥିଲେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଏହି ଅବସରରେ ଆୟୋଜିତ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ ଜଣ ଯୁବକଙ୍କୁ ନେଇ ଅନୁଷ୍ଠିତ ଏହି ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ରୋୟାଲ ପଡିଆରୁ ବାହାରି ସୋନପୁର ବୁଢ଼ାରଜା ଛକ, ସୋନପୁର ବ୍ଲକ ଛକ ପ୍ରଭୁତି ପରିକ୍ରମା କରିଥିଲା । ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଅଧିକାରୀ ବୀରେନ୍ଦ୍ର ସିଂ ବୋକେନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ, ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ବର୍ଷବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସୁସ୍ଥ ଗଣ ଦୌଡ ସ୍ଥାନୀୟ ରୋୟାଲ ପଡିଆଠାରେ ଅନୁଷ୍ଠିତ କରାଯାଉଥିବା ଏବଂ ଜିଲ୍ଲାର ୭୫ଟି ଗ୍ରାମରେ ମଧ୍ୟ ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦେଇଛନ୍ତି । କୋଭିଡ କଟକଣା ଯୋଗୁଁ ସୀମିତ ସଂଖ୍ୟକ ଯୁବକ ଯୁବତୀଙ୍କୁ ନେଇ କୋଭିଡ ମାର୍ଗଦର୍ଶିକା ପ୍ରତିପାଳନ ଅନୁସାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ସାରା ଭାରତରେ ସୁସ୍ଥତା ପାଇଁ ଏକ ଆନ୍ଦୋଳନ ସୃଷ୍ଟି ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଉଛି । କାର୍ଯ୍ୟକ୍ରମ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅଶ୍ୱିନୀ କୁମାର ଭୋଇ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିପିନ ବିହାରୀ ଜେନା, (ଏପିଏ) ଏନ ୱାଇ କେ, ଡ଼ଃ ଦେବାଶିଷ ପାଣ୍ଡିଆ, ଅଧ୍ୟକ୍ଷ, ଉଲୁଣ୍ଡା ମହାବିଦ୍ୟାଳୟ, ଉମାକାନ୍ତ ନାଗ, ଜିଲ୍ଲା ସଂଯୋଜକ, ୟୁଥ ରେଡକ୍ରସ, ସୋନପୁର ମହାବିଦ୍ୟାଳୟ, ଦୁର୍ବାସା ପ୍ରଧାନ ଏନ୍‌ଏସ୍‌ଏସ୍‌, ପ୍ରୋଜେକଟ ଅଫିସର, ମନୋଜ ଅଗ୍ରୱାଲ-ସଭାପତି, ଅମିତ ଅଗ୍ରୱାଲ- ସମ୍ପାଦକ, ମାରୱାଡି ଯୁବାମଞ୍ଚ, ରାକେଶ ନାଗ, ରୋୟାଲ ସ୍ପୋର୍ଟିଂ, ଶିବଶଙ୍କର ନାୟକ- ସଭାପତି, ତାପସ କୁମାର ବେହୁରା- ସମ୍ପାଦକ ବୁଢାରଜା ୟୁଥ ଏସୋସିଏସନ୍‌, ତଥା ଜିଲ୍ଳାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଯୁବକ, ନେହେରୁ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀ, ପୂର୍ବତନ ଏନ୍‌ୱାଇଭି, ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.