ବେଦାନ୍ତ ପାଇଁ ହଜାର ହଜାର ଏକର ଜମି ଦରକାର କିନ୍ତୁ ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୬୦ ଏକର ଦରକାର ବୋଲି କହୁଛନ୍ତି ସରକାର, ଯାହା ଅତ୍ୟନ୍ତ ନିନ୍ଦନୀୟ : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଦାନ୍ତ ପାଇଁ ହଜାର ହଜାର ଏକର ଜମି ଦରକାର ପଡ଼ୁଥିବା ବେଳେ ବଲାଙ୍ଗିର ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୬୦ ଏକର ଦରକାର ବୋଲି କହୁଛନ୍ତି ସରକାର, ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, କୁହାଯାଉଛି ତୁମେ ଏଠି ଜମିଦାର ହେବ ନା’ ପାଠ ପଢ଼ାଯିବ ! କି ପ୍ରକାର ସରକାର ରାଜ୍ୟରେ ଚାଲିଛି ଏଥିରୁ ଅନୁମାନ କରାଯାଇପାରେ । ମୁଁ ଯେତେବେଳେ ଅତିକମ୍‌ରେ ବଲାଙ୍ଗିର ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୧୦୦ ଏକର୍‌ ଜାଗା ଦାବୀ କରୁଛି, ସେମାନେ କହୁଛନ୍ତି ୬୦ ଏକର ଯଥେଷ୍ଟ । ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଆହୁରି କରିଛନ୍ତି ଯେ, ରାଜ୍ୟର ବିକାଶ ମୂଳକ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହେଉଛି । କେନ୍ଦ୍ର ସରକାର ଯାହା ରାଜ୍ୟକୁ ଦେବା କଥା, ତାହା ଦେଉନାହାନ୍ତି । ରାଜ୍ୟ ସରକାର ଯାହା ପଶ୍ଚିମ ଓଡ଼ିଶାକୁ ଦେବା କଥା, ଦେଉନାହାନ୍ତି । ଏହାର ଫଳସ୍ୱରୂପ ପଶ୍ଚିମ ଓଡ଼ିଶାରେ ବିଦ୍ରୋହର ନିଆଁ ଜଳିବା ଆରମ୍ଭ ହେଲାଣି । ପଶ୍ଚିମ ଓଡ଼ିଶାର ସବୁ ବିକାଶ କାମକୁ ପକାଇ ରଖିଛନ୍ତି ରାଜ୍ୟ ସରକାର । ହାଇକୋର୍ଟ ସ୍ଥାପନ ପାଇଁ ପଶ୍ଚିମ ଓଡ଼ିଶାର ଦାବୀ ରହିଛି, କିନ୍ତୁ ରାଜ୍ୟ ସରକାର କରୁନାହାନ୍ତି । ସେହିଭଳି ବଲାଙ୍ଗିର ଦେବୋତ୍ତର ଉନ୍ନତି ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି, କିନ୍ତୁ ତାର ଉତ୍ତର ମିଳିଲା ନାହିିଁ । ସବୁଠାରୁ ଦୁଃଖର ବିଷୟ ଯେ, ଗତକାଲି ଉଚ୍ଚଶିକ୍ଷା ବିଭାଗର ସଚିବ ବଲାଙ୍ଗିରରେ କହିଛନ୍ତି ୟୁନିଭର୍‌ସିଟି କରିବା ପାଇଁ ୬୦ ଏକର୍‌ ଜାଗା ଦରକାର, ଅଧିକ ଦରକାର ନାହିିଁ । ସରକାରୀ ଜମି ଜବର୍‌ଦଖଲ୍‌ କରିଥିବା ସରକାରୀ ଦଳର ଲୋକଙ୍କ ପ୍ରତି ଅନୁକଂପା ରହିଥିବା ବିଷୟ ଏହି ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି । ତେବେ ଜଣେ ସଚିବ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ପରିତାପର ବିଷୟ, ଏଭଳି ମନ୍ତବ୍ୟ ଜଣେ ସଚିବ ଦେବା ଉଚିତ ନୁହେଁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.