csstore

ରଚନା ପକ୍ଷରୁ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ରଚନା’ ପକ୍ଷରୁ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ସମାରୋହ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । କବି ପ୍ରହ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସମ୍ବଲପୁର ଜିଏମ୍ କଲେଜ ଭୀମ ଭୋଇ ଚେୟାରର ପ୍ରଫେସର କବି ପ୍ରଦୀପ କୁମାର ପଣ୍ଡା ଅତିଥି ବକ୍ତା ଭାବେ ଯୋଗ ଦେଇଥିବା ବେଳେ ରଚନାର ସଂପାଦକ କବି ଭାଗିରଥୀ ମିଶ୍ର ମଧ୍ୟ ମଂଚାସୀନ ହୋଇ ସ୍ୱର୍ଗତ ଗଗନଙ୍କ ସ୍ମୃତିଚାରଣ କରିବା ସହ ସମାରୋହର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ରତ୍ନମୟ ତ୍ରିପାଠୀ ଓ ଲିଲି ପଟେଲ କବି, ଗାଳ୍ପିକ ଓ ଚିତ୍ରଶିଳ୍ପୀ ଗଗନ ସ୍ୱାଇଁଙ୍କ ମନଛୁଆଁ କବିତା ଆବୃତ୍ତି କରିଥିଲେ । ‘ଲୋକ ପରଂପରା ଓ ସାହିତ୍ୟ’ ସଂପର୍କରେ ଆଲୋଚନା କରି ଅତିଥି ବକ୍ତା କବି ଶ୍ରୀ ପଣ୍ଡା ନିଜସ୍ୱ କାବ୍ୟିକ ଶୈଳୀରେ ଉଚ୍ଚକୋଟୀର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ମଂଚରେ ରଚନା ପକ୍ଷରୁ ପ୍ରକାଶିତ କବି ପ୍ରଦୀପ କୁମାର ପଣ୍ଡାଙ୍କ ସପ୍ତମ କବିତା ସଂକଳନ ‘ଅଫେରା’ ଓ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସହ ଭାବାଳାପ ପୁସ୍ତକ ଉନ୍ମୋଚିତ ହୋଇଥିଲା । କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ସସ୍ମିତା ନେପାକ ‘ଅଫେରା’ କବିତା ସଂକଳନରୁ କବିତା ଆବୃତ୍ତି କରିଥିଲେ । କବି ରାଜୀବ ଲୋଚନ ଆଚାର୍ଯ୍ୟ ‘ଭାବାଳାପ’ରୁ କିଛି ଅଂଶ ପାଠ କରିଥିଲେ । କବି ଗଣେଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହରେ ସହରର ଅନେକ କବି, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ ତଥା ସାହିତ୍ୟପ୍ରେମୀ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.