ବିଜୁବାବୁଙ୍କ ସ୍ୱପ୍ନ ସାକାର ହେବ : ଫାଇଭ-ଟି କାର୍ଯ୍ୟକ୍ରମର ରୂପାନ୍ତରିତ ରାଜ୍ୟର ୧୦୭୦ ସ୍କୁଲ ନଭେମ୍ବର ୧୪ରେ ଲୋକାର୍ପିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଶନିବାର ଚତୁର୍ଥ ପର୍ଯ୍ୟାୟରେ ୫ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଲୋକାର୍ପିତ ହୋଇଥିବା ୧୦ଟି ମଧ୍ୟରେ ପଞ୍ଚାୟତ ମଡେଲ ହାଇସ୍କୁଲ, ହିଞ୍ଜିଳି ସହରାଞ୍ଚଳର ହାଇସ୍କୁଲ, ଅବା ଅନ୍ୟ ମଡେଲ ବିଦ୍ୟାଳୟ ଅନ୍ତର୍ଭୂକ୍ତ ହୋଇଛି । ସେଗୁଡିକ ଗୁଡିକ ହେଲା ଦୂରବନ୍ଧ ପଞ୍ଚାୟତ ହାଇସ୍କୁଲ, ଶେରଗଡ ସରକାରୀ ହାଇସ୍କୁଲ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟିର ବୃନ୍ଦାବନ ସରକାରୀ ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତର ରାମଚନ୍ଦ୍ରପୁର ହାଇସ୍କୁଲ, ସିକ୍ରୀ ପଞ୍ଚାୟତର ୟୁ.ଏନ୍‌. ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତର ବି. ବ୍ରହ୍ମପୁର ହାଇସ୍କୁଲ, ବିକେପୁର ପୁଟିଆପଦର ପଞ୍ଚାୟତର ସରକାରୀ ୟୁ.ଜି. ହାଇସ୍କୁଲ, ନରେନ୍ଦ୍ରପୁର ହାଇସ୍କୁଲ, ନନ୍ଦିକା ପଞ୍ଚାୟତର ସରକାରୀ ୟୁ.ଜି. ହାଇସ୍କୁଲ, ପିତ୍ତଳ ବାଳକ ହାଇସ୍କୁଲ ଅନ୍ତର୍ଭୁକ୍ତ ଅଟେ ।
ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବା ସ୍ଥଳେ ଅଦ୍ୟାବଧି ୪୦ଟି ସ୍କୁଲ ଲୋକାର୍ପିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ହିଞ୍ଜିଳିର ଏ ସ୍କୁଲ ରୂପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ। । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ ଜ୍ଞାନର ଯୁଗ । ବର୍ତ୍ତମାନ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ । ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏ ପରିବର୍ତ୍ତନମୟ ବିଦ୍ୟାଳୟ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ଓ ଓଡିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢିତୋଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ । ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବ । ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ ବୋଲି ସେ କହିଥିଲେ । ପିଲାମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର । ଫାଇଭ-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ । ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା, ସ୍ବତନ୍ତ୍ର କାର୍ଯ୍ୟକ୍ରମ । ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଧାୟକଗଣ, ସେମାନଙ୍କ ଭାଷଣରେ କେବଳ ହିଞ୍ଜିଳିର ସ୍କୁଲ ନୁହେଁ ସମଗ୍ର ନିର୍ବାଚନ ମଣ୍ଡଳୀ ବିକାଶର ଅନନ୍ୟ ମଡେଲ ବୋଲି ମତ ଦେଇଥିଲେ । ଆଗାମୀ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୫ଟି ପରିବର୍ତ୍ତନୀୟରେ ରୂପାନ୍ତରିତ ହୋଇ ଥିବା ୧୦୭୦ ବିଦ୍ୟାଳୟ ଲୋକାର୍ପିତ ହେବ ବୋଲି କାର୍ଯ୍ୟକ୍ରମ ପରିଚାଳନା କରି ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଇନ୍‌ଟରେକ୍ସନ ସମୟରେ ସ୍ମୃତି, ଅଙ୍କିତା, ପୂଜା ରାଣୀ, ପ୍ରଜ୍ଞାଶ୍ରୀ, ଅମ୍ବିକା ଆଶା, ଦୁର୍ଗା ମାଧବ ଆଦି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସେମାନେ ଆଗକୁ ବଢି ମୁଖ୍ୟମନ୍ତ୍ରୀଙ୍କ ଏବଂ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସହ ବହୁ ବରିଷ୍ଠ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.