ପ୍ରଶାସନର ଆଢୁଆଳରେ ଆଦର୍ଶ ଗ୍ରାମ ବ୍ରାହ୍ମଣଡିହି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ଦହିଗାଁ ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ଏଠାରେ ଶତକଡା ୬୦ ଭାଗ ମାହାର ସଂପ୍ରଦାୟର ଲୋକେ ବାଉଁଶ କାରିଗରୀ ଆଦିବାସୀ ଲୋକ ବସବାସ କରୁଥିବା ସୂଚନା ମିଳିଛି । ବାଉଁଶର ତିଆରି କୁଲା, ଭୁଗା, ଟୁପା ଇତ୍ୟାଦି ବିକ୍ରୟ କରି ପେଟ ପାଟଣା ଚଳାଇଥାନ୍ତି । ଏହା ତାଙ୍କର କୌଳିକବୃତ୍ତି ବୋଲି ଜଣାଯାଏ । ଏହି ଗାଁକୁ ରାଜ୍ୟ ସରକାର ୨୦୧୬ ମସିହାରୁ ଏକ ଆଦର୍ଶ ଗ୍ରାମ ବୋଲି ଘୋଷଣା କରିଛନ୍ତି । ମାତ୍ର ଦେଖିବାକୁ ଗଲେ କେବଳ କାଗଜ କଲମରେ ଆଦର୍ଶ ଗ୍ରାମ ସୀମୀତ ହୋଇଯାଇଛି । ଏଥିପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ସୂଚନା ଅନୁସାରେ ଏହି ଗ୍ରାମରେ ଅଧିକାଂଶ ଆଦିବାସୀ ଲୋକ ମାନଙ୍କର ଭଲ ଘରଟିଏ ନାହିଁ । ଚାଳ, ଛପର ନଡା ପଲିଥିନ ତଳେ ରହି ଦିନ କାଟୁଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ତଥା ଅନ୍ୟାନ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ହେଲେ ମଧ୍ୟ ଭତ୍ତା ପାଇବାରେ ବଞ୍ଚିତ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗ୍ରାମର ଶକୁନ୍ତଳା କୁମୁରିଆ, ଶୁକମୁନି ତମଳିଆ, ଡାଣ କୁମୁରିଆ, ଉର୍ମିଲା କୁମୁରିଆ, ତପସ୍ୱିନୀ ଚିନ୍ଦା, ଦୟା ସାଗର ଚିନ୍ଦା, ପଦ୍ମା ଚିନ୍ଦା, ଜମୁ ଚିନ୍ଦା, ଉମାକାନ୍ତ ମେହେର, ରଙ୍ଗଲତା ଚିନ୍ଦା, ଋଷି ମୁନା ତମଳିଆ, ଶଙ୍ଖ ତମଳିଆ ପ୍ରଭୃତି ସମସ୍ତେ ସରକାରଙ୍କର ଆବାସ ଯୋଜନାରୁ ପକ୍କାଘର ଖଣ୍ଡିଏ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିବା ସତ୍ତ୍ବେ ମଧ୍ୟ ଏ ଯାଏଁ ଘର ଖଣ୍ଡିଏ ପାଇ ପାରି ନାହାନ୍ତିଁ ବୋଲି ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମତେ ରାଜ କୁମାରୀ ତୁମୁଲିଆ ୪୦ ବର୍ଷ ବୟସ୍କା ଅବିବାହିତ ଭତ୍ତା ପାଇ ନାହାନ୍ତି । ପଦ୍ମିନୀ ନାଏକ ପରିତ୍ୟକ୍ତ ଭତ୍ତା, ସହଦେବ ଚିନ୍ଦା ୭୨ ବର୍ଷ ଭତ୍ତାକୁ ଚାହିଁ ବସିଛନ୍ତି । ଶୋଭା ତୁମୁରିଆ ଅବିବାହିତ ହୋଇ ରହି ଭତ୍ତାକୁ ଚାହିଁ ବସିଛନ୍ତି । ଏହି ଗାଁକୁ ଯିବା ଆସିବାକୁ ଭଲ ରାସ୍ତାଟିଏ ନାହିଁ । ଗ୍ରାମବାସୀ ମାନଙ୍କର କହିବା ଅନୁଯାୟୀ ଅନେକ ଉଚ୍ଚ ପଦାଧିକାରୀ ଏହି ଗାଁକୁ ଆସି ସମସ୍ତ ସୁବିଧା କରାଯିବ ବୋଲି ପ୍ରତିଶୃତି ଦେବା ସତ୍ତ୍ବେ ମଧ୍ୟ କୌଣସି ଫଳପ୍ରଦ ହେଉ ନାହିଁ । ଆଦର୍ଶ ଗ୍ରାମର ନମୁନା କେବଳ କାଗଜ କଲମରେ ରହି ଯାଇଛି । ଏଣୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହି ଗ୍ରାମ ପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନିଅନ୍ତି ତେବେ ଦିବାସ୍ୱପ୍ନ ଦେଖୁଥିବା ବ୍ରାହ୍ମଣଡିହି ଗ୍ରାମର ଲୋକ ମାନଙ୍କର ଆଦର୍ଶ ଗ୍ରାମ ବ୍ରାହ୍ମଣଡିହି ରୂପେ ପରିଚିତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତବ୍ୟକ୍ତ ହେଉଛି ।

Leave A Reply

Your email address will not be published.