jayashree

ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନ ସୂରଜ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ‘ସୂରଜ ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱର୍ଗତ ବିପିନ ପ୍ରଧାନ ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ବ୍ଲକ ବୋରସିଂ ଗ୍ରାମପଞ୍ଚାୟତ ଭାଟପଡା ବାସିନ୍ଦା ଅଟନ୍ତି ଏବଂ ସେ ନିଜର ହୃତପିଣ୍ଡ, ଦୁଇଟି ଆଖି, କିଡନି, ଲିଭର ଭଳି ୬ଟି ଅଙ୍ଗକୁ ସୁରତ ସ୍ଥିତ କିରଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ରୋଗୀମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ପ୍ରଦାନ କରିବା ପରେ ପ୍ରତିରୋପଣ କରାଯାଇଛି । ଏହିପରି କାର୍ଯ୍ୟ ନିମନ୍ତେ ସ୍ୱର୍ଗତ ବିପିନ ତାଙ୍କ ପତ୍ନୀ ଓ ଅନ୍ୟାନ୍ୟ ପରିବାର ସଦସ୍ୟ ସମସ୍ତେ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ କଂଫେରେନ୍ସିଂ ମାଧ୍ୟମରେ ବାର୍ତ୍ତା ଦେଇ ତାଙ୍କ ପରିବାରର ଉତ୍ତରଦାୟୀଙ୍କ ପ୍ରଶଂସାଗାନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଜିର ଏହି ୨ୟ ‘ସୂରଜ ସମ୍ମାନ’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବିପିନ ପ୍ରଧାନଙ୍କ ପରିବାରଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସମାରୋହ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲପାଳ ଅମୀୟ କୁମାର ସାହୁଙ୍କ ଉପସ୍ଥିତିରେ ଉକ୍ତ ସହାୟତା ରାଶିର ଏକ ଚେକ୍ ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୋରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପାଞ୍ଜଳି ପ୍ରଧାନ, ଯୁବ ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.