ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ୱାଧୀନତାର ଅମୃତ ମହୋତ୍ସବ-୨୦୨୧ । ଏହି ଅବସରରେ ବଲାଙ୍ଗିର କୋଶଳ କଳାମଣ୍ଡଳରେ ଅବସ୍ଥିତ ସଂସ୍କୃତି ଭବନରେ ପୁସ୍ତକ ପ୍ରଦର୍ଶନୀ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀ କାର୍ୟ୍ୟକ୍ରମ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ତାରିଖ ଯାଏଁ ଏହା ଚାଲିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୯ରୁ ୧୫ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ । ଏଥିରେ ସ୍ୱାଧୀନତା ସଂପର୍କିତ ପୁସ୍ତକ ପ୍ରଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।