ଯଶୋବନ୍ତଙ୍କ ପ୍ରୟାସରେ ଥଇଥାନ ହେଲେ ଅନାଥ ପୂଜାରାଣୀ

କଟକ : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମର ସ୍ୱର୍ଗତ ଗୋଲକ ପ୍ରତିହାରିଙ୍କ ସ୍ତ୍ରୀ ଶାନ୍ତିଲତା ପ୍ରତିହାରିଙ୍କ ଅକାଳରେ ପରଲୋକ ଘଟିବା ପରେ ତାଙ୍କର ଦୁଇ କଅଁଳ ଛୁଆ ୧୦ବର୍ଷର ଝିଅ ପୂଜାରାଣୀ ଓ ୨୨ ବର୍ଷର ପୁଅ ଭାଗିରଥି ଅନାଥ ହୋଇଗଲେ । ସୂଚନାରୁ ପ୍ରକାଶ ଯେ, ବାଲିଝରି ଗାଁର ଗୋଲକଙ୍କ ପରିବାର କହିଲେ ସ୍ତ୍ରୀ ଶାନ୍ତିଲତା, ଝିଅ ପୂଜାରାଣୀ ଓ ପୁଅ ଭାଗିରଥିଙ୍କୁ ନେଇ ଛୋଟ ପରିବାର । ଗତ କିଛିବର୍ଷ ପୂର୍ବରୁ ଗୋଲକଙ୍କର ମୃତ୍ୟୁ ଘଟିଥିଲା । ପୁଅ ଭାଗିରଥୀ ଓ ଝିଅ ପୂଜାଙ୍କୁ ନେଇ ଶାନ୍ତିଲତା ବହୁତ ଦୁଖେ କଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଦେଢ଼ ବର୍ଷ ହେବ ରୋଗଗ୍ରସ୍ତ ହୋଇ ନିଜର ସ୍ଥାବର ଆସ୍ଥାବର ସମ୍ପତି, ଘର ଦ୍ୱାର ବିକ୍ରି କରି ଏକ ସରକାରୀ ଜମିରେ ଘର କରି ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । କିଛିଦିନ ତଳେ ଶାନ୍ତିଲତାଙ୍କ ଦେହାନ୍ତ ପରେ ୨ ଭାଇ ଭଉଣୀ ଦେଖୁ ଦେଖୁ ଅନାଥ ହୋଇଗଲେ । ସେମାନେ ଖାଇବେ କଣ ରହିବେ କେଉଁଠି ଏହି ସବୁ ସମସ୍ୟା ନେଇ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ମନ୍ତ୍ରୀ ଟୁକୁନି ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗଙ୍କୁ ଦୃଷ୍ଟି ଆକର୍ଷଣ କରି ଦୁଇ ଅନାଥ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତା ପହଂଚି ପୂଜାରାଣୀଙ୍କୁ ଉଦ୍ଧାର କରି ତାଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି ତାଙ୍କର ବଡ ଭାଇ ଭାଗିରଥିଙ୍କୁ ମଧ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ । ବଡଭାଇ ଓ ସାହି ପଡିସା ରାଜି ହେବାରୁ ପୂଜାରାଣୀଙ୍କୁ ସିଡବ୍ଲୁ ନିଜ ହେପାଜତକୁ ନେଇଥିଲେ । ପରେ ଗତ ୨୨/୦୬/୨୦୨୧ ଦିନ ଶିଶୁ ସୁରକ୍ଷା କମିଟିର ସୁପାରିଶ କ୍ରମେ ତାଙ୍କୁ କଟକର ବିଡାନାସୀ ଠାରେ ଥିବା ଇନ୍‌ଣ୍ଟରନେସ୍‌ନାଲ ଆଇଡେନ୍‌ସି ପ୍ରିଭେନ୍‌ସନ୍‌ ମୁଭମେ୍‌ଣ୍ଟ (ଆଇଆଇପିଏମ୍‌) ଆଶ୍ରୟସ୍ଥଳୀରେ ରଖିଛନ୍ତି । ପାଖରେ ଥିବା ଗୋଟିଏ ଆବାସିକ ବିଦ୍ୟାଳୟରେ ତାଙ୍କୁ ୫ମ ଶ୍ରେଣୀରେ ଆଡ଼ମିସନ୍‌ କରି ଦେଇଛନ୍ତି ବୋଲି କଟକ ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ଏହିପରି ଅନାଥ ଅସହାୟ ଶିଶୁ ମାନଙ୍କୁ ହାତ ବଢ଼ାଇ ସହଯୋଗ କରୁଥିବାରୁ ଗ୍ରାମବାସୀ ଯଶୋବନ୍ତ ରଣାଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.