csstore

ସମାଜସେବୀଙ୍କ ଉଦ୍ୟମରେ ଅସହାୟ ପରିବାରକୁ ମିଳିଲା ସରକାରୀ ସହାୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁର ବଂଶୀ ପରାଭୁଏଙ୍କ ପରିବାର କାହାଣୀ ନ କହିବା ଭଲ । ସୂଚନା ଅନୁସାରେ ବଂଶୀ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ମା’ ଜଣେ ଦିବ୍ୟାଙ୍ଗ ଓ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ପରିବାର । ତାଙ୍କର ପରିବାର ବହୁତ କଷ୍ଟରେ ଚାଲୁଥିବା ଖବର ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇ ସାରିଥିଲା । ହେଲେ କୌଣସି ସହାୟତା ମିଳିଲା ନାହିଁ । ତାଙ୍କ ନିକଟକୁ ଖପ୍ରାଖୋଲ ବିଡ଼ିଓ ପହଂଚି ପାଞ୍ଚସହ ଟଙ୍କା ଦେଇଥିଲେ ଓ ସରକାରୀ ସହାୟତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ପ୍ରତିଶୃତିରେ ହିଁ ରହିଗଲା । ଅଜଣା ରୋଗରେ ଶେଷରେ ତାଙ୍କର ଜୀବନ ମଧ୍ୟ କିଛିଦିନ ତଳେ ଚାଲିଗଲା । ବର୍ତ୍ତମାନ ବଂଶୀ ପରାଭୁଏଙ୍କ ସ୍ତ୍ରୀ, ଦୁଇ ଝିଅ ଓ ତାଙ୍କ ବୃଦ୍ଧ ବିକଳାଙ୍ଗ ମା । କିପରି ଚଳିବେ ଓ ଦୁଇ ଝିଅଙ୍କ ଭବିଷ୍ୟତ କଣ ହେବ ବୋଲି ବିଭିନ୍ନ ଖବର କାଗଜରେ ଖବର ବାହାରିଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ମନ୍ତ୍ରୀ ଟୁକୁନି ସାହୁ, ଖପ୍ରାଖୋଲ ବିଡ଼ିଓଙ୍କୁ ଏହି ସମସ୍ୟା ବିଷୟରେ ଜଣାଇ ତାଙ୍କୁ ସରକାରୀ ଯୋଜନାରେ ସାମିଲ କରି ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଖବର ପାଇ ଖପ୍ରାଖୋଲ ବିଡ଼ିଓ ପହଂଚି ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ କରି ୨୦ ହଜାର ଟଙ୍କା ସହ ସ୍ତ୍ରୀଙ୍କୁ ବିଧବା ଭତ୍ତା ଏବଂ ପରିବାରକୁ ଘରଟିଏ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ଦୁଇ ନାବାଳିକା ଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ପନ୍ଦର ସହ ଟଙ୍କା ଦିଆଯିବ ବୋଲି ଖପ୍ରାଖୋଲ ବିଡ଼ିଓ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.