ଦେଶବାସୀଙ୍କ ଫୋନ୍‌ ଟ୍ୟାପିଂ ଘଟଣା ମୋଦୀଙ୍କ ଏକଛତ୍ରବାଦୀ ମନୋଭାବର ପ୍ରମାଣ : ନରସିଂହ

  • ପେଗାସସ୍ ଗୁଇନ୍ଦାଗିରି ଘଟଣାରେ ଜଏଣ୍ଟ ପାର୍ଲ୍ୟାମେଣ୍ଟରୀ କମିଟି ତଦନ୍ତ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶବାସୀଙ୍କ ଫୋନ୍‌ ଟ୍ୟାପିଂ ଘଟଣା ମୋଦୀଙ୍କ ଏକଛତ୍ରବାଦୀ ମନୋଭାବର ପ୍ରମାଣ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ପେଗାସସ୍‌ ଗୁଇନ୍ଦାଗିରି ଘଟଣା ସାମ୍‌ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଚହଳ ପଡିଯାଇଛି । ମୋଦୀ ସରକାର ତାଙ୍କର ବିରୋଧୀ ଗୋଷ୍ଠୀର ରାଜନେତା, ଗଣମାଧ୍ୟମ ପ୍ରତିନିଧି, ଏପରିକି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତଙ୍କ ଗଇନ୍ଦାଗିରୀ କରି ପରବର୍ତ୍ତି ସମୟରେ ନିଜର ସ୍ୱାର୍ଥ ପାଇଁ ସେସବୁ ବ୍ୟବହାର କରିଛନ୍ତି । ଏହା ସମ୍ବିଧାନ ବିରୋଧୀ ଓ ଏଥିରେ ବ୍ୟକ୍ତିର ମୌଳିକ ଅଧିକାରର କ୍ଷୁର୍ଣ୍ଣ ହେଉଛି । ଜନସାଧାରଣ ତଥା ନିଜ ରାଜନୈତିକ ବିରୋଧୀଙ୍କ ଫୋନ ଟ୍ୟାପିଂ କରିବା କେନ୍ଦ୍ର ସରକାରର ଏକଛତ୍ର ମନୋଭାବର ସ୍ପଷ୍ଟ ପ୍ରମାଣ ମିଳୁଛି । ଏଭଳି ପରିସ୍ଥିତିରେ ଦେଶର ଜାତୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏହି ଘଟଣା ପାଇଁ କେନ୍ଦ୍ର ସରକାରର ଗୃହମନ୍ତ୍ରୀ ଅମିତ ସାହା ଦୋଷ ସ୍ୱୀକାର କରି ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣାକୁ ରାଜ୍ୟ କଂଗ୍ରେସ ତଥା ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଦୃଢ ନିନ୍ଦା କରାଯିବା ସହ ଆଗାମୀ ଦିନରେ ଦଳ କେନ୍ଦ୍ର ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ । ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଏହି ଗୋଇନ୍ଦାଗିରି ଘଟଣା ଏକ ନିରପେକ୍ଷ ତଦନ୍ତ ଯଥା ସର୍ବୋଚ୍ଚ ନ୍ୟାୟାଳୟର ଏକ କାର୍ୟ୍ୟରତ ବିଚାରପତି କିମ୍ବା ଜଏଣ୍ଟ ପାଲ୍ୟାମେଣ୍ଟରୀ କମିଟି ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପାର୍ଲ୍ୟାମେଣ୍ଟରେ ଏହା ଉପରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

ସେହିପରି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ବର୍ତ୍ତମାନ ଧାନ କିଣାକୁ ନେଇ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି । ଉଭୟ ଦଳ ଗୋଟିଏ ମୁଦ୍ରାର ଦୁଇ ପାଖ ଭଳି କାମ କରି ଆସୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏଫ୍‌ସିଆଇ ଧାନ କିଣନ୍‌ନ୍ତୁ ବୋଲି ମାନ୍ୟବର ଉଚ୍ଚତର ନ୍ୟାୟାଳୟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରି ଆସୁଛନ୍ତି । କେନ୍ଦ୍ର ସରକାର ଏଫ୍‌ସିଆଇକୁ ସିଧା ସିଧା ନିର୍ଦ୍ଦେଶ ଦେଇ ଚାଷୀଙ୍କ ଧାନ କିଣିପାରିବେ । ଏପଟେ ରାଜ୍ୟ ସରକାର ଧାନ ନ କିଣିଲେ କେନ୍ଦ୍ର ସରକାର ଏଫ୍‌ସିଆଇ ମାଧ୍ୟମରେ କିଣିବା ପାଇଁ ବାଧ୍ୟ ହେବେ । କିନ୍ତୁ ଦୁର୍ନୀତିକୁ ପ୍ରଶ୍ରୟ ଦେବା ପାଇଁ ଉଭୟ ସରକାର ସେପରି କିଛି ନ କରି ପରସ୍ପରକୁ ଦୋଷ ଦେଇ ଚାଷୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ତେଣୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଚାଷୀଙ୍କ ସମସ୍ତ ଧାନକୁ ଏଫ୍‌ସିଆଇ ମାଧ୍ୟମରେ କିଣାଯାଉ ବୋଲି କଂଗ୍ରେସ ଦାବୀ କରୁଛି । ସେ କହିଛନ୍ତି ଯେ, ଆହୁରି ମଧ୍ୟ ବର୍ତ୍ତମାନ ତୈଳ ଦର ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅପଦସ୍ତ ହେଉଛନ୍ତି । ତେଣୁ କେନ୍ଦ୍ର ସରକାର ତୈଳ ଦର ଉପରୁ ଟିକସ ହ୍ରାସ କଲେ ଦେଶର ଖାଉଟିରେ ପଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସକୁ ବର୍ତ୍ତମାନ ଦରଠାରୁ ଅଧା ଦରରେ ପାଇପାରିବେ । ତେଣୁ ଆମର ସ୍ପଷ୍ଟ ଦାବୀ କେନ୍ଦ୍ର ସରକାର ପଟ୍ରୋଲ ଡିଜେଲ ଉପରୁ ଟିକସ ହ୍ରାସ କରନ୍ତୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଏବଂ ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ ମଂଚାସୀନ ଥିଲେ ।

Leave A Reply

Your email address will not be published.