ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ବ୍ରାହ୍ମଣୀପାଲି ସ୍ଥିତ ସବୁଜ ମହାନଦୀ ଅଭିଯାନ ଅନ୍ତର୍ଗତ ବନୀକରଣ ସଫଳ ହୋଇଥିବା ବନବିଭାଗ କହିଛି । ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ସର୍ଜମିନ ତଦନ୍ତ କରାଯିବାରୁ ଉକ୍ତ ପ୍ରକଳ୍ପ ୭୦%ରୁ ଅଧିକ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରମାଣ ହେତୁ ଡ୍ରୋନ୍ ମାଧ୍ୟମରେ ପ୍ରକଳ୍ପର ଫଟୋ ଚିତ୍ର ଓ ଭିଡିଓ ଉତ୍ତୋଳନ କରି ସରକାରଙ୍କୁ ପଠା ଯାଇଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ମହନଦୀ ଅବବାହିକାରେ ମୃତିକା କ୍ଷୟ ରୋକିବା ପାଇଁ ସବୁଜ ମହାନଦୀ ଅଭିଯାନର ଆରମ୍ଭ ହୋଇଥିଲା । ସେହି କ୍ରମରେ ୨୦୧୮-୧୯ରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ସହିତ ସଦର ବ୍ଲକ ସ୍ଥିତ ବ୍ରାହ୍ମଣୀପାଲି ଠାରେ ଏହି ପ୍ରକଳ୍ପର ଆରମ୍ଭ ହୋଇଥିଲା । ୧୬.୨୫ ହେକ୍ଟର ଅଞ୍ଚଳରେ କରାଯାଇଥିବା ଏହି ବନୀକରଣରେ ନିମ୍ବ, ଗମ୍ଭାରି, ଅଁଳା, ପଣସ, କାଜୁ, ଜାମ୍ବୁ, ଅର୍ଜୁନ, କରଞ୍ଜ, ଓଉ, ବାଉଁଶ, ଶିଶୁ ଓ ଶାଗୁଆନ ଆଦି ୧୨ ଗୋଟି ପ୍ରଜାତିର ୨୬ ହଜାର ଚାରା ରୋପଣ କରାଯିବା ସହ ଚାରାର ସୁରକ୍ଷା ଅଞ୍ଚଳକୁ ତାର ବାଡ ଦିଆଯାଇଥିଲା । ତାର ବାଡ ସହିତ ଉକ୍ତ ପ୍ରକଳ୍ପ ପାଇଁ ୨୦୧୮-୧୯ରେ ୬,୨୫,୫୪୨ଟଙ୍କା ଓ ୨୦୧୯-୨୦ରେ ୨,୫୮,୬୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର ତିନି ବର୍ଷରେ ପ୍ରକଳ୍ପରେ ରୋପିତ ପାଖାପାଖି ୭୦% ଚାରା ବଢି ଚାରି ଫୁଟରୁ ଅଧିକ ଉଚ୍ଚତା ହାସଲ କରିଛି । ସେହିପରି ଉକ୍ତ ପ୍ରକଳ୍ପରେ ନିମ୍ବ, ଅଁଳା, ବାଉଁଶ, କରଞ୍ଜ, କାଜୁ ଓ ଶାଗୁଆନ ଚାରା ଗୁଡିକ ବେଶ ବୃଦ୍ଧି ପାଇଥିବା ପରିଲକ୍ଷିତ ହେଉଛି । ଆହୁରି ତାର ବାଡ ଓ ପାଖାପାଖି ରୋପିତ ହୋଇଥିବା ବାଉଁଶ ଗଛ ଗୁଡିକ ପ୍ରକଳ୍ପ ଭିତରକୁ ବନ୍ୟ ଜନ୍ତୁ ପ୍ରବେଶରେ ବାଧା ଦେଉଥିବା ସ୍ପଷ୍ଟ ଅନୁମାନ କରି ହେଉଥିବା ଚିତ୍ର ଗୁଡିକ ପ୍ରକାଶ କରୁଛି ବୋଲି ବଲାଙ୍ଗିର ବନାଞ୍ଚଳ ଅଧିକାରୀ ବିଜୟ ଖୁଣ୍ଟିଆ ପ୍ରକାଶ କରିଛନ୍ତି । ସେହିପରି ସବୁଜ ମହାନଦୀ ଅଭିଯାନ ଅନ୍ତର୍ଗତ ଜିଲ୍ଲାର ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ବେଶ ସଫଳ ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଛି ।