ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସପ୍ତାହନ୍ତ ସଟ୍ଡାଉନ୍ ସମୟରେ ବ୍ଲକ୍ ସମ୍ମିଳନୀ କକ୍ଷ ସମ୍ମୁଖରେ ଥୁଆ ହୋଇଛି ଗଦା ଗଦା ବାଇକ୍ । ଖୋଦ୍ ବିଡିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆବାସ ଯୋଜନା ତାଲିକା ପ୍ରସ୍ତୁତ ସମନ୍ୱୟ ସମ୍ବନ୍ଧୀୟ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜରୁରୀ ବୈଠକ । କରୋନା ମହାମାରୀର ତୃତୀୟ ଲହରକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିୟମିତ ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଭର୍ଚୁଆଲ ମୋଡ଼ରେ ବାରମ୍ବାର ନିବେଦନ କରୁଥିବା ବେଳେ କେତେକ ଅମାନିଆ ଅଧିକାରୀଙ୍କ ମନୋମୁଖି କାର୍ଯ୍ୟକଳାପ ଯୋଗୁଁ ଅଯଥାରେ ଅଧସ୍ତନ ସରକାରୀ ଅଧିକାରୀ ଓ ସାଧାରଣ ଲୋକେ ଅଯଥାରେ ହଇରାଣ ହେଉଛନ୍ତି । ସୂଚନା ଅନୁଯାୟୀ ଆଜି ଶନିବାର ହେଉଥିବାରୁ ସଟ୍ଡାଉନ୍ କଟକଣା ବଳବତ୍ତର ରହିଥିବା ବେଳେ ଡେଲାଙ୍ଗ ବ୍ଲକ୍ ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଛୁଟି ଦିନରେ ବ୍ଲକ୍ କାର୍ଯ୍ୟାଳୟକୁ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଜୋର ଜବରଦସ୍ତ ଡକାଇ ଆବାସ ଯୋଜନା ତାଲିକା ପ୍ରସ୍ତୁତ ପାଇଁ ଓ ଆନୁସଙ୍ଗିକ ରିପୋର୍ଟ ପ୍ରଦାନ କରିବା ପାଇଁ ଆଲୋଚନା କରିଥିବା ଜଣାପଡିଛି । ଏହି ବୈଠକରେ ଉପସ୍ଥିତ ଥିବା ଅଧିକାରୀଙ୍କ ମଧ୍ୟରୁ ଅନେକ ଠିକ୍ ଢଙ୍ଗରେ ମାସ୍କ ପରିଧାନ କରି ନଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ନିୟମଟିକୁ ଦଳିମକଚି ନଷ୍ଟ କରି ଦିଆଯାଇଥିବା ପରିଲକ୍ଷିତ ହୋଇଛି । ଏ ସଂକ୍ରାନ୍ତରେ ବିଡିଓ ଶ୍ରୀ ଷଡ଼ଙ୍ଗୀଙ୍କୁ ପଚାରିବାରୁ ବାହାରେ ଲୋକେ କୋଭିଡ୍ କଟକଣା ମାନୁନଥିବା କ’ଣ ଗଣମାଧ୍ୟମ ଆଖିକୁ ଦେଖାଯାଉନାହିଁ ବୋଲି ପାଲଟା ଆରୋପ କରଥିିବା ସୂଚନା ମିଳିଛି । ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଏଭଳି ଅମାନିଆ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧଜୀବୀମାନେ ଦାବୀ କରିଛନ୍ତି ।