ବାଇକ୍ ଚୋରି ର‍୍ୟାକେଟ୍‌ର ପର୍ଦ୍ଦାଫାସ କଲା ପୋଲିସ : ୭ ଗିରଫ, ୨୧ଟି ଚୋରି ବାଇକ, ଗୋଟିଏ ସ୍କୁଟି, ୨ଟି ପିକ୍‌ଅପ୍‌ ଜବତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲରେ ପ୍ରତିଦିନ ବାଇକ୍ ଚୋରିର ଅଭିଯୋଗ ହେଉଛି । ରୋଗୀଙ୍କ ପରିଜନ ରୋଗୀଙ୍କୁ ନେଇ ଡାକ୍ତରକାନାରେ ଥିବା ବେଳେ ତାଙ୍କର ବାଇକ ଚୋରି ହୋଇଯାଉଛି । ଆଜି ବଲାଙ୍ଗିର ପୋଲିସ ଏହି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ସହ ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୂକ୍ତ ମାନଙ୍କ ଠାରୁ ପୋଲିସ ୨୧ ଟି ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି । ଅଭିଯୁକ୍ତମାନେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କୁରୁଲ ଗ୍ରାମର ଭାରତ ବାରିକ(୪୦), ସନ୍ତୋଷ ବାରିକ(୨୪), ରିତେଶ ବେହେରା(୧୯), ତୁଷୁରା ଅନ୍ତର୍ଗତ ଖର୍ଡାଗ୍ରାମର ସୁଜାନ କୁମାର ସାହୁ(୨୫) ଓ ତରଭା ଅନ୍ତର୍ଗତ ନୁଆମୁଣ୍ଡା ଗ୍ରାମର ରୁକୁନା ଦୀପ ବୋଲି ପୋଲିସ ସୂଚନା ଦେଇଛି । ସୂଚନାରୁ ପ୍ରକାଶ ଯେ, ଗତ ମଇ ୨୮ ତାରିଖରେ ଗଜବାହାଲବାସୀ ପୁର୍ଣ୍ଣଚନ୍ଦ୍ର ପଣ୍ଡା ଭୀମ ଭୋଇ ମେଡିକାଲରେ ତାଙ୍କର ବାଇକ ଚୋରି ହୋଇଥିବା ପୋଲିସକୁ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶାନୁସାରେ ମେଡିକାଲରେ ବାରମ୍ବାର ହେଉଥିବା ବାଇକ ଚୋରିର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଥିଲା । ଏଥିରେ ସଦର ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ଟାଉନ ଥାନା ଅଧିକାରୀ ପ୍ରିୟଙ୍କା ରାଉତରାୟ, ତୁଷୁରା ଥାନ ଅଧିକାରୀ ବି. ରୁଦ୍ରିଆ, ଏସଆଇ ବିକେ ବେହେରା, ଏସଆଇ ଏ. ନାୟା, ଏସଆଇ ପି. ଓରାମ, ଏସଆଇ କେ. ଖୋସଲା ଓ ଏସଆଇ ଏସ୍‌. ଛତ୍ରିଆଙ୍କ ସହିତ ବିଭିନ୍ନ ସ୍ଥାନରେ ଛାପା ମରା ଯାଇଥିଲା । ତଦନ୍ତରୁ ୨୧ଟି ଚୋରି ବାଇକ, ଗୋଟିଏ ସ୍କୁଟି ଓ ଅନ୍ୟ ଏକ ଘଟଣାରେ ଚୋରି ଦୁଇଟି ପିକ୍‌ଅପ୍ ଜବତ ହୋଇଥିଲା । ପିକଅପ୍ ଚୋରିରେ ସାମିଲ ଦୁଇ ଜଣ ଅଭିଯୁକ୍ତ ବଲାଙ୍ଗିର ଇନ୍ଦିରା ନଗରର ବିକାଶ ସାହୁ(୩୪) ଓ ପଣ୍ଡରାପିଟା ଗ୍ରାମର ହେମରାଜ ସେଠ(୨୯) ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ଲାଙ୍ଗିରର ବିଭିନ୍ନ ଅଂଚଳରୁ ହେଉଥିବା ବାଇକ୍ ଚୋରିରେ ଏକ ର‍୍ୟାକେଟ ସାମିଲ ଥିବା ସନ୍ଦେହ କାରାଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.