ମହିଳା ସଶକ୍ତିକରଣ ଏମିତି ଚାଳିଛି : ମହିଳା ସରପଞ୍ଚଙ୍କ କ୍ଷମତା ତାଙ୍କ ସ୍ୱାମୀଙ୍କ ହାତରେ ଚାଲୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମହିଳା ସଶକ୍ତିକରଣକୁ ସଶକ୍ତ କରିବା ପାଇଁ ରାଜନୈତିକ କ୍ଷେତ୍ରରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ସୂଚନା ଯୋଗ୍ୟ ଯେ ପ୍ରତ୍ୟେକ ଯୁଗରେ ନାରୀ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଓ ମହତ୍ଵପୂର୍ଣ୍ଣ ରହିଛି । ତେବେ ଆଜି ବି ସମାଜରେ ନାରୀ ଆଜି ଅବଳା, ଦୁର୍ବଳା ନୁହେଁ ବୋଲି କୁହାଯାଉଥିବା ବେଳେ ନାରୀକୁ କେତେକ କ୍ଷେତ୍ରରେ ପୂର୍ଣ୍ଣ ସ୍ୱାଧୀନତାରୁ ବଞ୍ଚିତ କରାଯାଇଛି । ସରକାର ପଞ୍ଚାୟତରାଜ ବ୍ୟବସ୍ଥାରେ ନିର୍ବାଚନ ଲଢ଼ିବା ପାଇଁ ମହିଳା ମାନଙ୍କୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ଫଳରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ବ୍ଳକ ଗୁଡିକରେ ଥିବା ବିଭିନ୍ନ ପଞ୍ଚାୟତ ଗୁଡିକରେ ମହିଳା ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ହେଲେ ତାଙ୍କର ଦକ୍ଷତା କ୍ଷମତା ଅନୁଯାୟୀ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ସ୍ୱାଧୀନତା ଦିଆଯାଉ ନ ଥିବାରୁ ସେମାତ୍ରାରେ ଦକ୍ଷତା ବୃଦ୍ଧି ବିକଶିତ ହେଉପାରୁନଥିବା ସାଧାରଣରେ ଆଲୋଚନା ହେଉଛି । ଅନେକେ କେବଳ ବ୍ଳକର ମାସିକ ବୈଠକରେ ଯୋଗା ଦେଉଥିବା ଜଣାପଡିଛି । ମୁଖ୍ୟତଃ ଗ୍ରାମାଞ୍ଚଳରୁ ଅଧିକାଂଶ ମହିଳା ନିର୍ବାଚିତ ହୋଇଥିବା ଜଣାପଡିଛି । ମହିଳା ସରପଞ୍ଚ ପଞ୍ଚାୟତ ଅଫିସକୁ ନିୟମିତ ଭାବରେ ଯାଉନଥିବା ବେଳେ ଅନ୍ୟପଟେ ମହିଳା ସରପଞ୍ଚଙ୍କ ସ୍ୱାମୀ ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ସିଟରେ ବସୁଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ମହିଳା ସରପଞ୍ଚଙ୍କ ସ୍ଵାମୀ ନିଜକୁ ମୁଁ ସରପଞ୍ଚ, ମୋର ପାୱାର ଅଛି କହି ବିଭିନ୍ନ ସରକାରୀ ଅଫିସ ଯଥା – ଥାନା, ବ୍ଳକ, ଆରଆଇ, ପଞ୍ଚାୟତ ଅଫିସକୁ ଯାଉଛନ୍ତି । ଗାଁରେ ତାଙ୍କର ପାୱ।ର ସବୁଠାରୁ ବେଶୀ, ଗାଁର ସମସ୍ତ କାମର ମୁଣ୍ଡ ଖେଳାନ୍ତି । ମହିଳା ସରପଞ୍ଚ ପଞ୍ଚାୟତର ବିଭିନ୍ନ ବୈଠକକୁ ନଯାଇ ତାଙ୍କ ସ୍ୱାମୀ ଯାଆନ୍ତି । ମହିଳା ସରପଞ୍ଚଙ୍କ କ୍ଷମତା ତାଙ୍କ ସ୍ୱାମୀ ହାତରେ ଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟି ପଡ଼ୁ ।

Leave A Reply

Your email address will not be published.