ସରକାରୀ ସହାୟତା ପାଇବେ ବାପାମା’ଙ୍କୁ ହରାଇଥିବା ଦୁଇ ଅନାଥ ଶିଶୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଭେଡେନ ବ୍ଲକ ଭଇସାଦାନୀ ଗାଁର ପତିପତ୍‌ତ୍ନୀ ଧନସିଂ ପହରିଆ ଓ ସାବିତ୍ରୀ ପହରିଆଙ୍କ ଗୋଟିଏ ବର୍ଷରେ ଦୁହିଁଙ୍କ ଦେହାନ୍ତ ପରେ ଦୁଇ ଭାଇ ଭଉଣୀ ଅନାଥ ହୋଇ ଯାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଗୋଟିଏ ବର୍ଷର ବ୍ୟବଧାନ ମଧ୍ୟରେ ସ୍ତ୍ରୀଙ୍କ ମଧ୍ୟ ଗତ ୧୨/୦୫/୨୦୨୧ରେ ଦେହାନ୍ତ ହେଇଯାଇଥିଲା । ଏବେ ଦୁଇ ନାବାଳକ ବେସାହାରା ହୋଇ ଯାଇଛନ୍ତି । ଗାଁରେ ଥିବା ତାଙ୍କର ପିଉସା ଲକ୍ଷ୍ମଣ ପହରିଆ ଝିଅ ଅସ୍ମିତା ପହରିଆ ଓ ପୁଅ ପଣ୍ଡିତ ପହରିଆଙ୍କ ଦେଖାଶୁଣା କରୁଛନ୍ତି । ଏହି ଦୁଇ ଶିଶୁଙ୍କୁ ସରକାରଙ୍କ ସମାଜ କଲ୍ୟାଣ ଯୋଜନାରେ ସାମିଲ କରି ସରକାରୀ ସହାୟତା ସହ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବୀ କରିଥିଲେ ।

ଏହି ସମସ୍ୟା ସଂପର୍କରେ କୌଣସି ମତେ ଖବର ପାଇ ବଲାଙ୍ଗିର ଜିଲ୍ଲାର ସମାଜସେବୀ ବିଳାସିନୀ ରଣା ଟ୍ୱିଟ୍‌ ମାଧ୍ୟମରେ ମୋ ସରକାର, ଜିଲ୍ଲା ଶିଶୁମଙ୍ଗଲ ଅଧିକାରୀ ନୂଆପଡା, ନୂଆପଡା ଜିଲ୍ଲାପାଳଙ୍କୁ ଜଣେଇଥିଲେ । ଏହାର ଗୋଟିଏ ଦିନ ପରେ ଏକ ଟିମ୍‌ ତାଙ୍କ ପାଖକୁ ଯାଇ ଏହି ସମସ୍ୟାର ଅନୁଧ୍ୟାନ କରିଥିଲେ । ଦୁଇ ଶିଶୁଙ୍କୁ ଅନାଥ ଆଶ୍ରମରେ ରଖିବା ପାଇଁ ତାଙ୍କର ପିଉସା ମନା କରିଥିଲେ । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଥିଲେ । ତାଙ୍କ କଥାକୁ ଗ୍ରହଣ କରି ଏହି ଶିଶୁମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦିଆଯାଇଛି । ସେହିପରି ଆଗାମୀ ଦିନର ପାଠ ପଢାରେ ମଧ୍ୟ ଦୁଇ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି କହିଛନ୍ତି । ଏହି ଦୁଇ ଶିଶୁ ତାଙ୍କର ପିଉସାଙ୍କ ସହିତ ରହି ଅଙ୍ଗନବାଡି ସେଣ୍ଟରରେ ପଢିବେ ବୋଲି କୁହାଯାଇଛି । ଏହି ସବୁ ସୁବିଧା ପାଇ ତାଙ୍କର ପିଉସା ଓ ଅଞ୍ଚଳବାସୀ ବିଳାସିନୀ ରଣାଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.