ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ ଗହୀରର ଭାଇ ୮ ବର୍ଷର ପରମେଶ୍ୱର ଗହୀରକୁ ନିର୍ମମ ଭାବେ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ଜିତେନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ପଣ୍ଡରେନ ଗାଁର ଜିତେନ ପୋଡ଼ କିଛି ଦିନ ଆଗରୁ ଧନପତ ଗହୀରକୁ ଜମି ମାଗୁଥିଲା । ଧନପତ ମୁଁ ମୋର ଜମି କାହିଁକି ମାଗଣାରେ ଦେବି ବୋଲି ମନା କରିଦେଇଥିଲା । ତେବେ ଆଜି ସକାଳ ସମୟରେ ଧନପତ ଏକ ବାଇକରେ ଗାଁର ଥିବା ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନ ମରଣାନ୍ତକ ଆକ୍ରମଣ କରିଥିଲା । ଧନପତ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ପୂର୍ବରୁ ଥିବା ୮ ବର୍ଷର ବାଳକ ପରମେଶ୍ୱରକୁ ଟାଙ୍ଗିଆ ଆକ୍ରମଣ କରି ହତ୍ୟା କରିଥିଲା । ଘଟଣା ଘଟାଇ ଜିତେନ ବାଇକରେ ତାର ପରିବାରକୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୋଲିସ ଜିତେନକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।