ମରୁଆଁ ପଞ୍ଚାୟତରେ ଆବାସ ବଣ୍ଟନରେ ‘ତେଲିଆ ମୁଣ୍ଡରେ ତେଲ’ ଅଭିଯୋଗ : ଗରିବ ଆଦିବାସୀ ବନ୍ତ ମିର୍ଦ୍ଧାଙ୍କୁ ମିଳୁନି ଆବାସ ଯୋଜନାରେ ଘର

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ପ୍ରୟାସ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଝୁଲେନବର ଗ୍ରାମ ବନ୍ତ ମିର୍ଦ୍ଧା ଜଣେ ଗରିବ ଆଦିବାସୀ । ସେ ଝାଟିମାଟି କୁଡ଼ିଆରେ ରହୁଥିବା ଦେଖିବାକୁ ମିଳିଛି । ବନ୍ତ ଜଣେ ବିପିଏଲ ହିତାଧିକାରୀ । ସେ ଦିନ ମଜୁରିଆ କାମ କରି ପରିବାର ପ୍ରତି ପୋଷଣ କରୁଛନ୍ତି । ତାଙ୍କର ପରିବାର ୫ ଜଣ ସଦସ୍ୟ । ଗୋଟିଏ ବଖରା ଘରେ ସମସ୍ତେ ରହନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ବହୁ ବାର ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ବନ୍ତ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ୨୦୧୧ ମସିହାରେ ହୋଇଥିବା ସାମାଜିକ ଅର୍ଥ ନୈତିକ ସର୍ଭେ ଅନୁଯାୟୀ ଆବାସ ଯୋଜନାରେ ଘର ପାଇବା ଯୋଗ୍ୟ ହିତାଧିକାରୀ ହୋଇଥିଲେ ସୁଦ୍ଧା ବନ୍ତଙ୍କୁ ମିଳୁନି ଘର । ଅନ୍ୟ ପକ୍ଷରେ ପଞ୍ଚାୟତରେ ଅନେକ ଧନୀକ ଶ୍ରେଣୀର ଲୋକେ ଉତ୍କୋଚ ଦେଇ ଘର ହାତେଇ ଥିବା ଜଣାପଡିଛି । ବନ୍ତଙ୍କ ଭଲି ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଥିବା ବେଳେ ପଞ୍ଚାୟତ ଜନପ୍ରତିନିଧି ଓ ବ୍ଳକ ପ୍ରଶାସନ ଅଧିକାରୀ ବନ୍ତଙ୍କ ଉପରେ ନଜର ନ ପଡ଼ିବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି । ମରୁଆଁ ପଞ୍ଚାୟତ ଆବାସ ବଣ୍ଟନରେ ଅର୍ଥଶ୍ରାଦ୍ଧ ହେଉଥିବା ହେତୁ ଧନୀ ଶ୍ରେଣୀର ଲୋକେ ଆବାସ ଯୋଜନାରେ ଘର ପାଉଥିବା ବେଳେ ଗରିବ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଯୋଜନା ସାତ ସପନ । ଗରିବ ବନ୍ତ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.