ଆନ୍ଦୋଳନରତ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଦାବୀ କଲେ ନରସିଂହ : ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ସଚିବ ଦେଲେ ପ୍ରତିଶୃତି
- ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ସ୍ଥାପିତ ହେଉ ଅକ୍ସିଜେନ ପ୍ଲାଣ୍ଟ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଆମ ରାଜ୍ୟର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଦୋହଳି ପଡିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ତୁରନ୍ତ ଉନ୍ନତି ନହେଲେ, ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ । କରୋନାର ପ୍ରଥମ ଲହରି ପରେ ପରେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀମାନେ ଛଟେଇ ହୋଇଥିଲେ । ତାଙ୍କର ପୁନଃ ନିଯୂକ୍ତି ପାଇଁ ସେମାନେ ଆଜି ପର୍ୟ୍ୟନ୍ତ ସରକାରଙ୍କ ସମ୍ମୁଖରେ ଦାବୀ ଉପସ୍ଥାପନ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଏମାନେ ତାଙ୍କର ଅନ୍ଦୋଳନକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହିତ ସବିଶେଷ ଅଲୋଚନା କରିଥିଲେ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ଖାଲି ପଡିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଜାଗାରେ ଏହି ସ୍ୱାସ୍ଥ୍ୟକମୀମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଶ୍ରୀ ମିଶ୍ର ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ତଥା ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସେ କହିଛନ୍ତି ଯେ, ଭୀମ ଭୋଇ ମେଡିକାଲ କଲେଜ ଉପରେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସମେତ ପଡୋଶୀ ଜିଲ୍ଲାମାନଙ୍କର ଅଣ କରୋନା ଓ କରୋନା ରୋଗୀ ନିର୍ଭର ଅଛନ୍ତି । ଫଳରେ ସେମାନଙ୍କୁ ଚିକିତ୍ସା ଯୋଗାଇବାରେ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ବେଳେ ବେଳେ ଉଚିତ ସ୍ୱାସ୍ଥ୍ୟସେବା ନପାଇ କରୋନା ରୋଗୀ ତଥା ଅଣ କରୋନା ରୋଗୀ ଜୀବନ ସହିତ ସଂଗ୍ରାମ କରିଥିବା ଦେଖାଦେଉଛି । ଏଣୁ ଗତ ବର୍ଷ କରୋନା ସମୟରେ ନିଯୂକ୍ତି ପାଇବା ପରେ ଛଟେଇ ହୋଇ ଅନ୍ଦୋଳନରତ ଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବଲାଙ୍ଗିର ଜିଲ୍ଲାରେ ନିଯୂକ୍ତି ଦିଆଯାଉ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଆଲୋଚନା ସମୟରେ ସ୍ୱାସ୍ଥ୍ୟ ସଚିବ ତଥା ଅତିରିକ୍ତ ସାଶନ ସଚିବ ପ୍ରଦୀପ୍ତ ମହାପାତ୍ର ସେମାନଙ୍କ ନିଯୂକ୍ତି ପାଇଁ ସହମତି ପ୍ରକାଶ କରିଥିଲେ । ଆବଶ୍ୟକ ହେଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆହୁରି ୨୦ ପ୍ରତିଶତ ଅଧିକ ସ୍ୱାସ୍ଥକର୍ମୀଙ୍କ ନିଯୁକ୍ତି କରାଯିବ ବୋଲି ସେ ଶ୍ରୀ ମିଶ୍ରଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ସମୟରେ ବଲାଙ୍ଗିରରେ ଏକ ଅକ୍ସିଜେନ ପ୍ଲାନ୍ଟର ସ୍ଥାପନ କରିବା ପାଇଁ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମ୍ମୁଖରେ ଦାବୀ କରଥିଲେ । ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଅକ୍ସିଜେନର ଅଭାବ ଦୁର କରିବା ପାଇଁ ଅକ୍ସିଜେନ ପ୍ଲାଂଟ ଗୁଡିକ ସ୍ଥାପନ କରାଯିବ । ତେଣୁ ଦାବୀ ମୁତାବକ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜରେ ଏକ ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଚିବ ବିଧାୟକଙ୍କୁ ଜଣାଇଛନ୍ତି । ତେବେ, ଯେତେ ଶୀଘ୍ର ହେବ ଅନ୍ଦୋଲନରତ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୂକ୍ତି ତଥା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଂଟର ସ୍ଥାପନ ହୋଇ ପାରିଲେ ଜିଲ୍ଲାରେ ହେଉଥିବା କରୋନା ଜନିତ ସ୍ୱାସ୍ଥ୍ୟସେବାରେ କିଛି ସୁଧାର ଆସିବ ବୋଲି ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।