କାମରେ ଆସୁନି ବେଳଗାଁ ଠାରେ ଥିବା ୩୯ କୋଟି ଟଙ୍କାର ପ୍ରକଳ୍ପ : ଅଧାପନ୍ତରିଆ କାମ କରି ଠିକାଦାର ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପାଣି ପାଇଁ ଡହକ ବିକଳ ଲୋକେ । ଅନେକ ଦିନର ଆଶା ପୂରଣ ଓ ପ୍ରତ୍ୟେକ ଘରକୁ ଘର ଜଳ ଯୋଗାଣ ହେବ ବୋଲି ଆଶା କରି ରହିଥିଲେ ଲୋକେ ହେଲେ ୩୯ କୋଟିର ପାଣି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉ ନ ଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଅଧୁରା କାମ କରି ଠିକାଦାର ଫେରାର ହୋଇଥିବା ଜଣାପଡିଛି । ସୂଚନା ମତେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ତେଲ ନଦୀ କୂଳରେ ନିର୍ମିତ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ । ଗତ ୨୦୧୭ ମସିହାରେ ଏହି ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ । ତେବେ ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସଇଁନ୍ତଲା ଏବଂ ଟିଟିଲାଗଡ ବ୍ଳକର ୨୨ଟି ଗ୍ରାମର ପାନୀୟ ଜଳ ସଙ୍କଟ ଦୂର ହେବ ବୋଲି ସେହି ସମୟରେ ସ୍ୱପ୍ନ ଦେଖାଇ ଥିଲେ । ହେଲେ ୪ ବର୍ଷ ହେଲାଣି ଅଞ୍ଚଳବାସୀଙ୍କୁ ଦେଖାଇ ଥିବା ସ୍ୱପ ଏବେ ଅଧୁରା ରହିଛି । ତେବେ ଘୁନସର ଗ୍ରାମରେ ଅନେକ ପଡ଼ାରେ ପାଣି ପାଇବେ ବୋଲି ଠିକାଦାର ମାନେ ପାଇପ ବିଛାଇ କାମ ଆରମ୍ଭ କରିଥିଲେ ହେଲେ ଅନେକ ସ୍ଥାନରେ ଅଧାପନ୍ତରିଆ ଭାବେ କାମକୁ ଛାଡି ଠିକାଦାର ବାବୁ ମାନେ ଫେରାର ମାରି ଥିବା ଜଣାପଡିଛି । ଫଳରେ ଯେଉଁ ମହାନ ଉଦେଶ୍ୟ ନେଇ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଥିଲା ତାହା ଏବେ ଲକ୍ଷ୍ୟଚ୍ୟୁତ ହେବା ଭଳି ଜଣାପଡିଛି । ଅନ୍ୟପଟେ ପେଟି ଠିକାଦାରମାନଙ୍କୁ ଉକ୍ତ କମ୍ପାନୀ ପାଇପ ବିଛାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ତାଙ୍କ କାମ କରିଥିବାର ଟଙ୍କା ଦିଆଯାଇ ନ ଥିବା ମଧ୍ୟ ଜଣାପଡିଥିବା ବେଳେ ସବୁ ଟଙ୍କା ଦେଲା ପରେ ପୁଣି କାମ ଆରମ୍ଭ ହେବ ବୋଲି କିଛି ଠିକାଦାର ମାନେ ପ୍ରକାଶ କରିଛନ୍ତି । ଏନେଇ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଏଭଳି ଭାବରେ କାମ ଅଟକି ରହିଛି । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଉଛି ।

Leave A Reply

Your email address will not be published.