pr

ବଲାଙ୍ଗିର ଜିଲ୍ଲାର ବରପୁତ୍ର ବର୍ଷିୟାନ ଆଦିବାସୀ ନେତା ଲୋକପ୍ରିୟ ସମାଜସେବୀ ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ବିୟୋଗରେ ଶୋକସଭା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ ତରଫରୁ ସ୍ଥାନୀୟ ଆଦିବାସୀ ଭବନ ଠାରେ ଦିବଙ୍ଗତ ବର୍ଷିୟାନ ଆଦିବାସୀ ନେତା, ଲୋକପ୍ରିୟ ସମାଜସେବୀ ତଥା ବଲାଙ୍ଗିର ଜିଲ୍ଲାର ବରପୁତ୍ର ସ୍ୱର୍ଗତ ବ୍ରଜ କିଶୋର ସିଂଭୋଇ(୭୩)ଙ୍କ ଅକାଳ ବିୟୋଗରେ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ଅଧକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସିଂ ଭୋଇଙ୍କ ଫଟୋଚିତ୍ରରେ ଆଦିବାସୀମାନେ ଶ୍ରଦ୍ଧା ସୁମନ ଅର୍ପଣ କରି ଗଭୀର ଶୋକ ପ୍ରକାଶ କରିଥିଲେ । ସ୍ୱର୍ଗତ ସିଂଭୋଇଙ୍କ ସ୍ମୃତିଚାରଣ କରି ଆଦିବାସୀ ମାନେ ପ୍ରକାଶ କରିଥିଲେ ଯେ, ୨୦୧୦ରୁ ୨୦୨୧ ମସିହା ପର୍ୟ୍ୟନ୍ତ ଦୀର୍ଘ ୧୧ ବର୍ଷ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସେ ଜିଲ୍ଲା ସଭାପତି ଥିଲେ । ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ୟ୍ୟକାରୀ ସଭାପତି ଏବଂ ଓଡିଶା ଆଦିବାସୀ ମହାସଂଘର ଉପସଭାପତି ଭାବରେ ଆଦିବାସୀ ମାନଙ୍କ ସାମୁହିକ ବିକାଶ ପାଇଁ ଅନବରତ ସାଲିସ ବିହୀନ ଦୁର୍ବାର ଲଢେଇ କରିଥିଲେ । ଆଦିବାସୀ ପୁଅ ଝିଅଙ୍କ ଉଚ୍ଚ ଶିକ୍ଷା, ମଦମୁକ୍ତି, ଆଦିବାସୀଙ୍କ ଜମି, ଜଙ୍ଗଳ, ଭାଷା, ଧର୍ମ ସଂସ୍କୃତି ସୁରକ୍ଷା, ଆଦିବସୀଙ୍କ ସାମାଜିକ ଅର୍ତନୈତିକ, ରାଜନୈତିକ ବିକାଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଓଡିଶା ଆଦିବାସୀ ସମାଜର ସେ ଜଣେ ଦିଗ ଦର୍ଶକ, ନିର୍ଭିକ, ନିରପେକ୍ଷ, ଅଦ୍ୱିତୀୟ, କ୍ରାନ୍ତିକାରୀ ପ୍ରସିଦ୍ଧ ବିପ୍ଲବୀ ନେତା ଥିଲେ ବୋଲି ଆଦିବାସୀମାନେ ଶୋକବ୍ୟକ୍ତ କରିଥିଲେ । ଦୁର୍ଗମ ଆଦିବାସୀ ଅଧ୍ୟୁସିତ ଗାଁ ମାନଙ୍କୁ ସଡକ, ବିଜୁଳି, ପାନିୟ ଜଳ ଯୋଗାଣ, ବଲାଙ୍ଗିର ବାଏପାସ ରାସ୍ତା, ଲୋୟର ସୁକତେଲ ନଦୀବନ୍ଧ ଯୋଜନା, କୃଷକକ ସମସ୍ୟା, କୋଶଳ ରାଜ୍ୟ ଆନ୍ଦୋଳନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ନେତାମାନେ ସ୍ମୃତିଚାରଣ କରିଥିଲେ । ସମ୍ବିଧାନ ପ୍ରଦତ୍ତ ଅଧିକାର ହାସଲ ପାଇଁ ସ୍ୱର୍ଗତ ସିଂଭୋଇଙ୍କ ଅଧୁରା ଆନ୍ଦୋଳନକୁ କାର୍ୟ୍ୟକାରୀ କରିବାକୁ ସେମାନେ ସଂକଳ୍ପ କରିଥିଲେ । ଶୋକସଭାରେ ପଦ୍ମନ ପ୍ରଧାନୀ, ଜିଲ୍ଲା ସଂପାଦକ ହେମନ୍ଦ୍ର ନାଥ ହାଂସଦା, ବ୍ଲକ ସଂପାଦକ ସୁନିଲ ମାଝି, ନଗର ସଭାପତି ନିତ୍ୟାନନ୍ଦ ମାଝି, ଜିଲ୍ଲା ସଙ୍ଗଠକ ଥବିର ପୂଝାରୀ, ଉପସଭାପତି ଘାସିରାମ ମାଝି, ଚୈତନ୍ୟ ମାଝୀ, ଇନ୍ଦ୍ରମଣି ମାଝି, ଜଗନ୍ନାଥ ମାଝୀ, ଦେବସିଂ ମାଝୀ, ମନୋଜ ମାଝୀ, ରାଧେଶ୍ୟାମ ଭୋଇ, ନାରୀନେତ୍ରୀ ମାହେଶ୍ୱରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଫୁଲ୍ଲ ପ୍ରଧାନୀ ସଭା ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.