jayashree

୨ୟ ବୋଡାସମ୍ବର ନାଟକ ମହୋତ୍ସବ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗ ମଞ୍ଚରେ, ବୋଡାସମ୍ବର କଲଚରାଲ୍ ଫୋରମ୍ ତରଫରୁ ଦ୍ୱିତୀୟ ବୋଡାସମ୍ବର ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଫୋରମର ସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ,ସଂପାଦକ ଡଃ ମାନ ଭଞ୍ଜନ ପ୍ରଧାନ ଉଦ୍ଦେଶ୍ୟ ଞାପନ କରିଥିଲେ । ପଦ୍ମପୁର ଆଇଆଇସି ମାନସ ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି, ମାଁ ସମଲେଇଙ୍କ ପ୍ରତିଛବି ସମ୍ମୁଖରେ ଦୀପ ପ୍ର‌ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ରାଜେନ୍ଦ୍ର ମହାନ୍ତି । ନାଟକରେ ପ୍ରତିଫଳିତ ପ୍ରତିଟି ଦୃଶ୍ୟ ମଣିଷକୁ ନିଜକୁ ଆତ୍ମଚିନ୍ତନର ଖୋରାକ ଯୋଗାଇ ଦେଇଥାଏ ବୋଲି ମୁଖ୍ୟଅତିଥି ଭାଷଣ ପ୍ରସଙ୍ଗରେ କହିଥିଲେ । ପରେ ଆଭାରାଣୀ ସାହୁ ଓ ସାଗରିକା ଯୋଷୀଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନରୁ ନାଟକ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ନାଟ୍ୟକାର ଅଶୋକ ବହିଦାରଙ୍କ ବହୁ ଚର୍ଚ୍ଚିତ ନାଟକ “ବାବୁ ଖର୍ଚ୍ଚା “କୁ ଡଃ ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶନାରେ ପରିବେଷଣ କରିଥିଲେ ” ଡ୍ରାମା ଚେତନା ” ସୋହେଲା ର କଳାକାର ମାନେ । କ୍ଷୀରୋଦ୍ର ସାହୁ, ଚନ୍ଦ୍ରମଣି ଭଂଜ, ଦିଲୀପ ଷଡ଼ଙ୍ଗୀ, ଶୋଭା ସ୍‌ସ୍ୱରୂପ ପାଣିଗ୍ରାହୀ, ବୁଦ୍ଧଦେବ ଭୋଇ, ଶ୍ରୀକାନ୍ତ ସାହୁ, ତୁଳସୀ ରାମ ପାଣି ଓ ମଧୁସ୍ମିତା ନାୟକଙ୍କ ନିଖୁଣ ଅଭିନୟ ବିଶେଷ ଦର୍ଶକ ‌ସ୍ୱୀକୃତି ପାଇଥିଲା । ବଡ ବଡଆ ବାବୁଙ୍କ ଆତିତ୍ୟ ପାଇଁ ତଳିଆ କର୍ମଚାରୀ ମାନଙ୍କ ହଟହଟାର ଜୀବନ୍ତ ଚିତ୍ର ନାଟକରେ ଉପସ୍ଥାପିତ ହୋଇଥିଲା । ନାଟକରେ ଶେଖର ଦାଶ ମଞ୍ଚ ସଜ୍ଜା, ନିମେଇ ମହାନନ୍ଦ ସଙ୍ଗୀତ, ଗୋପାଳ ନାୟକ କଣ୍ଠଦାନ, ଡଃ ତୁଷାରକାନ୍ତ ସାହୁ, ଆଲୋକ ସଂପାତ, କିଶୋର ଗଡତିଆ ମଞ୍ଚ ପରିଚାଳନା ଦାୟିତ୍ତ୍ୱ ତୁଲାଇ ଥିଲେ । ପରିଶେଷରେ ମୁଖ୍ୟଅତିଥି ସମସ୍ତ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.