
ଭୁବନେଶ୍ୱର, (ପିଆଇବି) : ଭାରତୀୟ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଗୃହୀତ ହେବାର ସ୍ମୃତିରେ ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱତନ୍ତ୍ର ‘ସମ୍ବିଧାନର ପ୍ରସ୍ତାବନା ପାଠ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜରିଆରେ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ଭଳି ସମ୍ବିଧାନର ମୌଳିକ ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ଅନୁଷ୍ଠାନ ନିଜର ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲା।
ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଭାବେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ। ଏହା ମାଧ୍ୟମରେ ସମ୍ବିଧାନର ମୌଳିକ ଆଦର୍ଶଗୁଡ଼ିକୁ ସ୍ମରଣ କରିବା ସହ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ଏହି ମୂଲ୍ୟବୋଧକୁ ଅନୁସରଣ କରିବାକୁ ଡ. ବିଶ୍ୱାସ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ଡିନ୍ ଡ. ରବି ନାରାୟଣ ସାହୁ, ଡ. ମନସ୍ୱିନୀ ମଙ୍ଗରାଜ, ମେଡିକାଲ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମ୍ବିଧାନ ଦିବସ ପାଳନ ମାଧ୍ୟମରେ, ଏମ୍ସ ଭୁବନେଶ୍ୱର ଭାରତୀୟ ସମ୍ବିଧାନର ଆଦର୍ଶ ଅନୁଯାୟୀ ସାମ୍ବିଧାନିକ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଏକତା, ସମାନତା ଓ ଭ୍ରାତୃତ୍ୱ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି ।