jayashree

ମୋହନଗିରିରେ ସମ୍ବିଧାନ ଦିବସ ପାଳିତ

  • ସମ୍ବିଧାନର ମୂଲ୍ୟବୋଧ, ନାଗରିକ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋଚନା

ମୋହନଗିରି, (କେପିଏନ୍‌ଏସ୍‌) : ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମୋହନଗିରିସ୍ଥିତ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୈଦ୍ୟ ନାରାୟଣ ଭୋଇ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ରୋହିତ ସୁନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନର ଗଠନ, ଏହାର ମୂଳ ଉଦ୍ଦେଶ୍ୟ, ଗଣତନ୍ତ୍ରର ମୂଳଭିତ୍ତି ଏବଂ ସମାଜରେ ସମାନତା, ନ୍ୟାୟ, ସ୍ୱାଧୀନତା ଓ ଭ୍ରାତୃତ୍ୱର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସେ ନିଜ ବକ୍ତବ୍ୟରେ ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ବରଂ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ମର୍ଯ୍ୟାଦା, ସମାନ ଅଧିକାର ଓ ସାମାଜିକ ନ୍ୟାୟର ମୂଳ ଆଧାର ବୋଲି ଉଲ୍ଲେଖ କରିଥିଲେ। ସମ୍ବିଧାନରେ ନିହିତ ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସୌହାର୍ଦ୍ଧ୍ୟ ରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଅଧ୍ୟାପିକା ଶ୍ରୀମତୀ ମିନାକ୍ଷୀ ଭୋଇ, ଅଚ୍ୟୁତ ମହାଖୁର, ମଧୁସୂଦନ ବିଶ୍ୱାଳ ଓ ପୂର୍ଣ୍ଣିମା ଭୋଇ ମଧ୍ୟ ସମ୍ବିଧାନର ମହତ୍ତ୍ୱ, ନାଗରିକ ସଚେତନତା ଏବଂ ଏକ ଶୃଙ୍ଖଳିତ, ନ୍ୟାୟପୂର୍ଣ୍ଣ ଓ ସୁସ୍ଥ ସମାଜ ଗଠନରେ ସମସ୍ତଙ୍କ ଭୂମିକା ଉପରେ ନିଜ ନିଜର ମତାମତ ରଖିଥିଲେ। ଏହି ଅବସରରେ ଅଧ୍ୟାପକ ନିରଞ୍ଜନ ରଣା ଓ ସାଗରିକା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ । ସମ୍ବିଧାନ ଦିବସ ପାଳନ ମାଧ୍ୟମରେ ସମ୍ବିଧାନର ଆଦର୍ଶକୁ ସମ୍ମାନ ଦେବା, ନିଜ ଅଧିକାର ସହ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ଏକ ଦାୟିତ୍ୱବାନ ନାଗରିକ ସମାଜ ଗଠନର ସଂକଳ୍ପକୁ ପୁନର୍ଜୀବିତ କରିବାର ଏକ ଅର୍ଥପୂର୍ଣ୍ଣ ପ୍ରୟାସ ହୋଇଥିଲା ।

Leave A Reply

Your email address will not be published.