jayashree

କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବିମ୍‌ଷ୍ଟେକ ଅଣ୍ଡର ୨୩ ପ୍ରତିଯୋଗିତାରେ ଭାଗ ନେବେ ଭାରତର ଶ୍ରେଷ୍ଠ କ୍ରୀଡ଼ାବିତ୍

  • ତିନି ଦିନିଆ ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ୬ ଦେଶର ୨୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍, ୩୨ ପଦକ ଇଭେଣ୍ଟ ସାମିଲ
  • ବିମ୍‌ଷ୍ଟେକ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଓ ଯୋଗାଯୋଗର ଉତ୍ତମ ମାଧ୍ୟମ : ଭୂପେନ୍ଦ୍ର ସିଂହ ପୁନିଆ

ଭୁବନେଶ୍ୱର, (ପିଆଇବି) : ଆଞ୍ଚଳିକ କ୍ରୀଡ଼ା ସହଯୋଗ ଓ କୂଟନୈତିକ ସମ୍ପର୍କର ଆଉ ଏକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ବୁଧବାର ଏଠାକାର ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ଥର ପାଇଁ ବିମ୍ଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ଆରମ୍ଭ ହେବ। ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ୬ଟି ଦେଶର ୨୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଏହି ଦେଶଗୁଡ଼ିକ ହେଲେ ବାଂଲାଦେଶ, ଭୂଟାନ, ନେପାଳ, ଶ୍ରୀଲଙ୍କା, ମିଆଁମାର ଓ ଭାରତ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରୀଡ଼ାକୁ ଏକ ସଫ୍ଟ ପାୱାର ବା ସାଂସ୍କୃତିକ କୂଟନୀତିର ମାଧ୍ୟମ ଭାବେ ବ୍ୟବହାର କରିବା, କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦକ୍ଷିଣ ଏସିଆ ଓ ଏହାର ଆଖପାଖ ଅଞ୍ଚଳର ପ୍ରତିଭାବାନ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିବାର ଦୃଷ୍ଟିକୋଣ ଅନୁରୂପ, ବିମ୍ଷ୍ଟେକ୍ (ବଙ୍ଗୋପସାଗରୀୟ ବହୁକ୍ଷେତ୍ରୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ ପଦକ୍ଷେପ) କ୍ରୀଡ଼ାବିତ୍ମାନଙ୍କୁ ନିଜ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ ପାଇଁ ଆଉ ଏକ ମଞ୍ଚ ଯୋଗାଇ ଦେବ ବୋଲି ବିବେଚନା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧୨ ତାରିଖରେ ଭାରତ ଅହମ୍ମଦାବାଦରେ ପ୍ରଥମ ଥର ପାଇଁ ବ୍ରିକ୍ସ ପାରମ୍ପରିକ ଓ ସ୍ୱଦେଶୀ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିଲା। ଭାରତର ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାରେ ଚୀନ୍, ରୁଷିଆ, ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା ଓ ଇରାନ ସମେତ ୧୦ଟି ଦେଶ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବିମ୍ଷ୍ଟେକ୍ ପ୍ରତିଯୋଗିତା ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫ୍ଆଇ) ପକ୍ଷରୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଓଡ଼ିଶାର ସମ୍ପୃକ୍ତ ବିଭାଗଗୁଡ଼ିକର ସହଯୋଗରେ ଆୟୋଜିତ ହେଉଛି।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ କହିଛନ୍ତି, “କ୍ରୀଡ଼ା ଲୋକଙ୍କୁ ଏକାଠି କରିଥାଏ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସ୍ଥାପନର ଏକ ଉତ୍ତମ ମାଧ୍ୟମ। ଏହି ପ୍ରତିଯୋଗିତା ଦ୍ୱାରା ଆମ କ୍ରୀଡ଼ାବିତ୍ମାନେ ଆନ୍ତର୍ଜାତିକ ସ୍ତରରେ ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଇବେ। ତେଣୁ ଏହା ଆମ ସମସ୍ତଙ୍କ ପାଇଁ ଲାଭଦାୟକ। ଓଡ଼ିଶାରୁ ୪ ଜଣ କ୍ରୀଡ଼ାବିତ୍ ବିଭିନ୍ନ ଇଭେଣ୍ଟରେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ବିମ୍ଷ୍ଟେକ୍ ପ୍ରତିଯୋଗିତା ଆୟୋଜନ କରିବାର ସୁଯୋଗ ଦେଇଥିବାରୁ ଆମେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (ଏମ୍ୱାଇଏଏସ୍) ପ୍ରତି କୃତଜ୍ଞ। ଭୁବନେଶ୍ୱରରେ ପୂର୍ବରୁ ଅନେକ ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନ ହୋଇଛି ଏବଂ ପୁଣି ଥରେ ଏଭଳି ସୁଯୋଗ ମିଳିଥିବାରୁ ଆମେ ଆନନ୍ଦିତ।”

ଭାରତ ୭୦ ଜଣିଆ କ୍ରୀଡ଼ାବିତ୍ ଦଳକୁ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ କରୁଛି। ନିକଟରେ ଲୁଧିଆନାରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ଇଣ୍ଡିଆନ୍ ଓପନ୍ ଏବଂ ଚେନ୍ନାଇରେ ଆୟୋଜିତ ଜାତୀୟ ଜୁନିୟର ଚାମ୍ପିୟନସିପ୍ରୁ ଏହି କ୍ରୀଡ଼ାବିତ୍ମାନଙ୍କୁ ଚୟନ କରାଯାଇଛି। ପୁରୁଷ ଓ ମହିଳା ବର୍ଗରେ ସମାନ ଭାବେ ବଣ୍ଟିତ ମୋଟ ୩୨ଟି ପଦକ ଇଭେଣ୍ଟରେ ୨୧୦ ଜଣ କ୍ରୀଡ଼ାବିତ୍ ଭାଗ ନେବେ। ଶ୍ରୀଲଙ୍କାରୁ ୫୯ ଜଣ, ବାଂଲାଦେଶରୁ ୩୬ ଜଣ ଏବଂ ନେପାଳରୁ ୩୧ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଏହି ଦଳଗୁଡ଼ିକରେ ବୟସଭିତ୍ତିକ ଏସୀୟ ଚାମ୍ପିୟନସିପ୍ର ପଦକ ବିଜେତାମାନେ ମଧ୍ୟ ସାମିଲ ଅଛନ୍ତି।

୨୦୨୬ ଏସୀୟ ୨୩ ବର୍ଷରୁ କମ୍ ଚାମ୍ପିୟନସିପ୍ରେ ପଦକ ଜିତିଥିବା ଭାରତର ଅନେକ କ୍ରୀଡ଼ାବିତ୍ କଳିଙ୍ଗ ଷ୍ଟାଡିୟମ୍ରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ସେମାନଙ୍କ ମଧ୍ୟରେ ଖେଲୋ ଇଣ୍ଡିଆ କ୍ରୀଡ଼ାବିତ୍ ତଥା ଡିସ୍କସ୍ ଥ୍ରୋୟର ଭରତପ୍ରୀତ ସିଂହ ଏବଂ ପ୍ରିୟା ଅନ୍ୟତମ। ୨୦୨୬ ଏସୀୟ ଜୁନିୟର ଚାମ୍ପିୟନସିପ୍ର ଟ୍ରିପଲ୍ ଜମ୍ପ୍ରେ ରୌପ୍ୟ ପଦକ ବିଜେତା ସାଧନା ରବି ଏବଂ ୨୦୨୩ ଏସୀୟ ଯୁବ ଚାମ୍ପିୟନସିପ୍ର ୧୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ବିଜେତା ରାହୁଲ ସରନାଲିଆଙ୍କ ଉପରେ ସମସ୍ତଙ୍କ ନଜର ରହିବ।

“ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ କରିବା କ୍ରୀଡ଼ା ମନ୍ତ୍ରଣାଳୟର ମୁଖ୍ୟ ଲକ୍ଷ୍ୟ। ଭାରତ ୨୦୩୦ ମସିହାରେ କମନୱେଲ୍ଥ ଗେମ୍ସ ଆୟୋଜନ କରିବାକୁ ଯାଉଥିବାବେଳେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ମଧ୍ୟ ଆବେଦନ କରିଛି। ଏଭଳି ସମୟରେ ବିମ୍ଷ୍ଟେକ୍ ପ୍ରତିଯୋଗିତା ଆୟୋଜନ ଅତ୍ୟନ୍ତ ପ୍ରାସଙ୍ଗିକ। ଏଠାରେ ଉପସ୍ଥିତ ଯୁବ କ୍ରୀଡ଼ାବିତ୍ମାନେ ହେଉଛନ୍ତି ଆମ ଭବିଷ୍ୟତ। ଆଗାମୀ ଦିନରେ ଯଦି ସେମାନଙ୍କ ମଧ୍ୟରୁ କେହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଦକ ମଞ୍ଚରେ ସ୍ଥାନ ପାଆନ୍ତି, ତେବେ ଆମର ଏହି ପ୍ରୟାସ ସାର୍ଥକ ହୋଇଛି ବୋଲି ଆମେ ଅନୁଭବ କରିବୁ,” ବୋଲି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଉପନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଉଜୱାଜ୍ କହିଛନ୍ତି ।

Leave A Reply

Your email address will not be published.